Categories: ଜାତୀୟ

ବିଦ୍ୟୁତ୍‌ ଶକ୍‌ ଲାଗି ଡାକ୍ତର ଦମ୍ପତିଙ୍କ ମୃତ୍ୟୁ ସନ୍ଦେହ, ପୋଲିସ ତଦନ୍ତ ଜାରି

ହାଇଦ୍ରାବାଦ୍‌,୨୨।୧୦: ହାଇଦ୍ରାବାଦ୍‌ର ଖାଦେରବାଗ ଅଞ୍ଚଳରେ ଥିବା ଏକ ଘର ବାଥ୍‌ରୁମ୍‌ରୁ ୨ ମାସ ତଳେ ବିବାହ କରିଥିବା ଡାକ୍ତର ଦମ୍ପତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଡା. ସୟଦ ନିଶାରୁଦ୍ଦିନ ହାଇଦ୍ରାବାଦ୍‌ର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ସାଇମା ଏମ୍‌ବିବିଏସ୍‌ ଶେଷବର୍ଷ ଛାତ୍ରୀ ଥିଲେ। ଗୁରୁବାର ସେମାନଙ୍କ ଘର ଲୋକେ ତାଙ୍କୁ ଫୋନ୍‌ କରିଥିଲେ। ଫୋନ୍‌ ନ ଉଠାଇବାରୁ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପଶିଥିଲା। ହେଲେ ବାଥ୍‌ରୁମ୍‌ରେ ଡାକ୍ତର ଦମ୍ପତିଙ୍କ ମୃତଦେହ ପଡ଼ିଥିବାର ପୋଲିସ ଦେଖିବାକୁ ପାଇଥିଲା। ଅନ୍ୟପକ୍ଷେ ବାଥ୍‌ରୁମ୍‌ରେ ଲାଗିଥିବା ଗିଜର୍‌ରୁ ଇଲେକ୍ଟ୍ରିକ୍‌ ଶକ୍‌ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଏନେଇ ଡାକ୍ତର ଦମ୍ପତିଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି।

Share