ବିଦ୍ୟୁତ ଆଘାତରେ ମୋଟର ମେକାନିକ ମୃତ

ବ୍ରହ୍ମପୁର ଅଫିସ,୨୫ା୮-ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ମୋଟର ମେକାନିକଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ଟୁଟୁ ଗୌଡ଼ (୩୨)। ବଡବଜାର ଥାନା ପୋଲିସ ରବିବାର ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ନଂ.୧୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ପ୍ରକାଶ ଯେ, ଟୁଟୁ ଶନିବାର ଗଣେଶ ନଗର ୩ୟ ସାରଣୀର ଜଣଙ୍କ ଘରେ ଖରାପ ହୋଇଯାଇଥିବା ମୋଟର ସଜାଡୁଥିଲେ। ମୋଟରରେ ଖଞ୍ଜାଯାଇଥିବା ଏକ ବିଦ୍ୟୁତ ତାର ତାଙ୍କ ଦେହରେ ଲାଗିଯିବାରୁ ସେ ଛିଟିକି ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଟୁଟୁଙ୍କୁ ବଡ଼ ମେଡିକାଲକୁ ନିଆଯାଇଥିଲା। ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।