ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନଗଲା

ଦିଗପହଣ୍ଡି,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଦଶିପୁର ଗ୍ରାମର ଜଣେ ଚାଷୀ ବୁଧବାର ପୂର୍ବାହ୍ନରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଜୁ ସାହୁ। ସେ ତାଙ୍କ ଜମିରେ କାମ କରୁଥିବା ବେଳେ ପୂର୍ବରୁ ବର୍ଷା ପବନରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ଶରୀରର ଅଧାଅଂଶ ଜଳିଯାଇଥିଲା। ଆଖପାଖ ଜମିରେ କାମ କରୁଥିବା ଅନ୍ୟ କେତେକ ଗ୍ରାମବାସୀ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦିଗପହଣ୍ଡି ଥାନା ଏସ୍‌ଆଇ ମାଧବ ଚନ୍ଦ୍ର ଟାକରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡ଼ାକ୍ତରଖାନା ପଠାଇଛନ୍ତି।

Share