ବିଦ୍ୟୁତ ସଂଯୋଗ ନ ହେବାରୁ ଗ୍ରାମବାସୀ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଚମ୍ପୁଆ,୩ା୧(ଡି.ଏନ.ଏ)- ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତ ହୁଡି ସାହି ଓ ସମା ସାହି ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଉ ନଥିବାରୁ ସରପଞ୍ଚ ସମେତ ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ହୁଡି ସାହି ଓ ସମା ସାହିଠାରେ ଆଦିବାସୀ ଓ ବିପିଏଲ ପରିବାରର ଲୋକମାନଙ୍କୁ ବିପିଏଲ ଇଲେକ୍ଟ୍ରି ସଂଯୋଗ ଯୋଗାଇ ଦେବା ପାଇଁ ପ୍ରାୟ ୩ ରୁ ୪ ମାସ ତଳେ ଉକ୍ତ ସାହିରେ ବିଦ୍ୟୁତ ଖୁଣ୍ଟ ପୋତା ହେବା ସହିତ ତାର ଟଣାଯାଇ ଟ୍ରାନ୍ସଫର୍ମର ବସି ସାରିଛି। ମାତ୍ର ସଂଯୋଗ ଦେବାରେ ବିଳମ୍ବ ହେବାରେ ଲାଗିଛି। ଅନ୍ୟପକ୍ଷରେ ଜାମୁଦଲକ ପଞ୍ଚାୟତର ଏହି ୨ ସାହି ହାତୀ ଉପଦ୍ରବର ପ୍ରମୁଖ ସ୍ଥାନ ପାଲଟିଥିବା ବେଳେ ଏଠାରେ ବିଦ୍ୟୁତ ସଂଯୋଗ ଅତି ଆବଶ୍ୟକ ହୋଇପଡିଛି। ସଂଯୋଗରେ ବିଳମ୍ବ ହେତୁ ଗ୍ରାମବାସୀ ଜିଲାପାଳଙ୍କୁ ୨୦୧୯ ମସିହା ନଭେମ୍ବର ୧୧ ତାରିଖରେ ଅଭିଯୋଗ କରିବା ପରେ ନେସ୍କୋ କର୍ତ୍ତୃପକ୍ଷ ୭ ରୁ ୧୦ ଦିନ ମଧ୍ୟରେ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତିଟି ପାଣିର ଗାର ଭଳି ମିଳେଇ ଯିବା ସହ ୪ ମସ ବିତି ଯାଇଥିଲେ ମଧ୍ୟ ବିଜୁଳି ଆଲୁଅ ଏମାନଙ୍କ ପାଇଁ ସ୍ବପ୍ନ ପାଲିଟିଛି। ଏ ନେଇ ସରପଞ୍ଚ ରମେଶ ମୁଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତୁରନ୍ତ ଏହି ସମସ୍ୟାକୁ ଅନୁଧ୍ୟାନ କରି କେଉଁ କାରଣରୁ ବିଦ୍ୟୁତ ସଂଯୋଗ ଦିଆଯାଇ ପାରୁନାହିଁ ସେ ବିଷୟରେ ଉପଜିଲାପାଳଙ୍କୁ ଅବଗତ କରିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।