ମୁନିଗୁଡ଼ା,୭।୮(ଡି.ଏନ୍.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ବୁଧବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଥାନା ପଛପଟ ଦେଇ ଯାଇଥିବା ଖମଣ ସାହି ରାସ୍ତାରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବ୍ୟାରିକେଟ୍ ସଂସ୍ପର୍ଶରେ ଆସି ଖମଣ ସାହିର ରାଧାକାନ୍ତ ଗୌଡ଼(୨୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପରିବା କିଣିବାକୁ ସେହି ବାଟ ଦେଇ ଯାଉଥିବା ସମୟରେ ଲଗାଣ ବର୍ଷା ଯୋଗୁ ଗୋଡ଼ ଖସିଯିବାରୁ ଟ୍ରାନ୍ସଫର୍ମର ନିକଟରେ ଥିବା ବ୍ୟାରିକେଟ୍ରେ ଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ବିଦ୍ୟୁତ କର୍ମଚାରୀ ଏବଂ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତ ଯୁବକ ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।