ବିଧାନସଭାରେ ଉଠିଲା ବେସରକାରୀ କଲେଜ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ଦରମା ପ୍ରସଙ୍ଗ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ସରକାରୀ କଲେଜ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ମିଳୁଛି। ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କୁ ଏ ପର୍ଯ୍ୟନ୍ତ ସପ୍ତମ ବେତନ କମିଶନ ଦରମା ମିଳିଲା ନାହିଁ। ଜଣେ ସରକାରୀ କଲେଜ ଅଧ୍ୟାପକ ଅବସର ବେଳକୁ ୧୫ ଲକ୍ଷ ଟଙ୍କା ପାଇବା ବେଳେ ବେସରକାରୀ କଲେଜ ଅଧ୍ୟାପକ ମାତ୍ର ୫ ଲକ୍ଷ ଟଙ୍କା ପାଇବେ। ଏଭଳି ପାତର ଅନ୍ତର କାହିଁକି ବୋଲି ପ୍ରଶ୍ନ ଉଠାଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ।
ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଲେ ଯେ, ବେସରକାରୀ କଲେଜଗୁଡିକୁ ୨୧ ମାସର ବକେୟା ଦରମା ଦିଆଯାଇ ନାହିଁ। ସପ୍ତମ କମିଶନ ବେତନ ମିଳୁ ନାହିଁ। ସମାନ କାର୍ଯ୍ୟ କରୁଥିବା ଅଧ୍ୟାପକଙ୍କ ପ୍ରତି ସରକାରଙ୍କ ଏଭଳି ଉଦାସୀନତା କାହିଁକି। ଯଦି ପଇସା ନାହିଁ ସରକାର ଖୋଲାଖୋଲି ଭାବେ କହିଦିଅନ୍ତୁ। ଆମ ପାଖରେ ପଇସା ନାହିଁ, ଆମେ ଦେଇପାରିବୁ ନାହିଁ। ମାନିଯିବା ଦରକାର। ନ୍ୟାଯ୍ୟ ଦାବିରୁ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ କାହିଁକି ବଞ୍ଚିତ କରାଯାଉଛି। ତୁରନ୍ତ ବାଚସ୍ପତି ଏ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେପରି ବକେୟା ଅର୍ଥ ସହିତ ସପ୍ତମ ବେତନ କମିଶନ ଦରମା ପ୍ରଦାନ କରିବ।

Share