ବିଧାନସଭାରେ ଉତ୍ତର ରଖିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ : ‘ଧରିତ୍ରୀ’ ସର୍ବାଧିକ ପ୍ରସାରିତ ଖବରକାଗଜ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ପ୍ରସାରିତ ଖବରକାଗଜଗୁଡିକ ମଧ୍ୟରୁ ‘ଧରିତ୍ରୀ’ ପ୍ରସାରଣ ସର୍ବାଧିକ। ଚଳିତ ବର୍ଷ ଜାନୁୟାରୀ ୨୪ରେ ପ୍ରକାଶିତ ତଥ୍ୟକୁ ଆଧାର କରି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ପଚରା ଯାଇଥିବା ଅଣତାରକା ପ୍ରଶ୍ନ ନଂ-୯୮ର ଉତ୍ତର ଦେଇ ମନ୍ତ୍ରୀ ଦାସ ଉପରୋକ୍ତ ତଥ୍ୟ ରଖିଛନ୍ତି। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ପ୍ରଦତ୍ତ ଉତ୍ତର ଅନୁଯାୟୀ, ଅନୁମୋଦିତ ଦୈନିକ ଖବରକାଗଜ ସଂଖ୍ୟା ୮୨, ସାପ୍ତାହିକ ସଂଖ୍ୟା-୬୦, ପାକ୍ଷିକ ସଂଖ୍ୟା-୧୬, ମାସିକ ସଂଖ୍ୟା-୧୯, ତ୍ରୟମାସିକ ସଂଖ୍ୟା-୧ ଏବଂ ଇଂଲିଶ ଖବରକାଗଜ ସଂଖ୍ୟା-୧୭ ଅଟେ।
ସେହିଭଳି ଗ୍ରାମାଞ୍ଚଳ ଖବରଦାତାମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ନିମନ୍ତେ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ସହରାଞ୍ଚଳର କାର୍ଯ୍ୟରତ ଖବରଦାତାଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଯୋଗାଇ ଦିଆଯାଉଛି। ଖବରଦାତାମାନଙ୍କୁ ପେନ୍‌ସନ ଦେବାର କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।

Share