ବିଧାନସଭାରେ ପୁଣି ଧାନ ତାତି, ଗୃହ ମୁଲତବୀ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଚାଷୀଙ୍କଠାରୁ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ଗୃହକୁ ଅଚଳ କରିଥିବା ବେଳେ ମଙ୍ଗଳବାର ମଧ୍ୟ ହେ-ହଲ୍ଲା କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଦଳ ସଦସ୍ୟ ତାରା ପ୍ରସାଦ ବାହିନୀପତି, ମହମ୍ମଦ୍‌ ମୋକିମ୍‌, ସୁରେଶ କୁମାର ରାଉତରାୟ, ରମେଶ ଚନ୍ଦ୍ର ଜେନା ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ବ୍ୟାନର ଦେଖାଇବା ସହିତ ହଟ୍ଟଗୋଳ କରିଥିଲେ। ଫଳରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇ ପାରିଲା ନାହିଁ। ବାଚସ୍ପତି ବାଧ୍ୟହୋଇ ଗୃହକୁ ମାତ୍ର ଅଧା ମିନିଟ ପରେ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୧୦ଟା ୩୦ରେ ସଭାକାର୍ଯ୍ୟ ଚଳାଇବା ପାଇଁ ଗୃହକୁ ପ୍ରବେଶ କରିଥିଲେ। ସଦସ୍ୟମାନେ ନମସ୍କାର ଜଣାଇ ବାଚସ୍ପତିଙ୍କୁ ସ୍ବାଗତ କଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ ଉଭୟ କଂଗ୍ରେସ ଓ ଭାଜପାର ସଦସ୍ୟମାନେ ବ୍ୟାନର ଦେଖାଇ ଗୃହର ମଧ୍ୟଭାଗକୁ ମାଡିଆସିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ବାଚସ୍ପତି ସେମାନଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏହାର କୌଣସି ପ୍ରଭାବ ବିରୋଧୀଙ୍କ ଉପରେ ପଡ଼ି ନ ଥିଲା। ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜୋର୍‌ଦାର ଆକ୍ରମଣ କରିଥିଲେ। ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରି ଚାଲିଯାଇଥିଲେ।

Share