ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ନରସିଂହ: କହିବାକୁ ନ ଦେବାରୁ ବିରୋଧୀଙ୍କ ହଟ୍ଟଗୋଳ, ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମହାନଦୀ ଜଳବିବାଦ ପ୍ରସଙ୍ଗ ଶାନ୍ତ ପଡ଼ିବା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ନରସିଂହ କହିଛନ୍ତି ଯେ, ଗତ ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ଅଧିବେଶନରେ ମହାନଦୀ ଜଳ ବିବାଦକୁ ନେଇ ଶାସକ ଦଳ ଗୃହକୁ ଓଠାଉଥିଲେ ପକାଉଥିଲେ। ମାତ୍ର ଚଳିତ ଅଧିବେଶନରେ କେନ୍ଦ୍ର କଥା ଆଉ ଉଠାଉନାହାନ୍ତି। ଏ ବିଷୟରେ ପୂରା ଚୁପ୍‌ ହୋଇଯାଇଛନ୍ତି। ମହାନଦୀରେ ବର୍ଷକୁ ଚାରିମାସ ପାଣି ଆସୁଛି। ଖରାଦିନେ ଯେତିକି ପାଣି ଆସିବା କଥା ତାହା ଆସୁନାହିଁ। ସମୁଦ୍ର ପାଣି ନଦୀକୁ ପଶି ଆସୁଛି। ମହାନଦୀରୁ ପାଣି ନ ଗଲେ ସମୁଦ୍ରରୁ ଲୁଣିପାଣି ନଦୀକୁ ପଶିଆସିବ। ମହାନଦୀ ଜଳ ବିବାଦର ବର୍ତ୍ତମାନ ସ୍ଥିତି କ’ଣ। ଟ୍ରିବ୍ୟୁନାଲରେ ଏହା କେତେଦୂର ଯାଇଛି। ତୁରନ୍ତ ଏହା ଗୃହକୁ ଜଣାନ୍ତୁ ବୋଲି ନରସିଂହ ଦାବି କରିଛନ୍ତି। ଏଥିସହ ସେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ଅଡିଟ୍‌ ରିପୋର୍ଟ ଗୃହରେ ଉପସ୍ଥାପନ କରିବା ଲାଗି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦ୍ରବ୍ୟ ଓ ସେବା ଟିକସ ବିଲ୍‌ ଗୃହରେ ଗୃହୀତ କରିବା ପୂର୍ବରୁ ଏ ବିଷୟରେ ଭଲ ଭାବେ ଆଲୋଚନା ହେବା ଆବଶ୍ୟକ ବୋଲି ନରସିଂହ କହିଛନ୍ତି।
ଶୂନ୍ୟକାଳରେ ବିରୋଧୀ ଭାଜପା ସଦସ୍ୟଙ୍କୁ କହିବାକୁ ସୁଯୋଗ ନ ମିଳିବାରୁ ପ୍ରବଳ ହଟ୍ଟଗୋଳ କରିଥିଲେ। ଏପରିକି ଗୃହର ମଧ୍ୟଭାଗକୁ ଆସି ହୋ-ହଲ୍ଲା କରିଥିଲେ। ପାଟିତୁଣ୍ଡ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ଅର୍ଥ ନିଗମ ଓ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ନିଗମର ୨୦୧୯-୨୦ ବାର୍ଷିକ ରିପୋର୍ଟ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଓଡ଼ିଶା ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ କହିଥିଲେ। ଏଥିସହ ଜିଏସ୍‌ଟି ବିଲ-୨୦୧୯କୁ ଗୃହରେ ଆଗତ କରିବା ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ କହିଥିଲେ। ପାଟିତୁଣ୍ଡକୁ ଦେଖି ଉପବାଚସ୍ପତି ଗୃହକୁ ୧୨.୦୭ରୁ ବୁଧବାର ୧୦.୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

Share