ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ବିଧାନସଭାରେ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଗୃହରେ ବୁଧବାର ଶୋକ କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ଶୋକ ପ୍ରସ୍ତାବ ଆଗତ କରିବା ଲାଗି କହିଥିଲେ। ମୁଖ୍ୟମନ୍ତ୍ରୀ ପୂର୍ବତନ ସଦସ୍ୟା ବୀର ସିଫ୍‌କା, ବିଜୟ କୁମାର ନାଏକ, ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଗୃହରେ ପ୍ରସ୍ତାବ ଆଗତ କରିଥିଲେ। ପରଲୋକଗତ ସଦସ୍ୟଙ୍କ ରାଜନୈତିକ ଜୀବନୀ ଉପରେ ସଂକ୍ଷିପ୍ତ ବିବରଣୀ ଦେବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ବାଚସ୍ପତିଙ୍କ ଜରିଆରେ ଗୃହରେ ସମବେଦନା ଜଣାଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହିତ ସ୍ବର୍ଗତ ସଦସ୍ୟଙ୍କ ସୃତିଚାରଣ କରିଥିଲେ। ବାଚସ୍ପତିଙ୍କ ଜରିଆରେ ସଦସ୍ୟମାନଙ୍କ ପରିବାରବର୍ଗଙ୍କୁ ନିଜର ତଥା ଦଳର ସମବେଦନା ଜଣାଇଥିଲେ। ଶେଷରେ ବାଚସ୍ପତି ଗୃହର ନେତାଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ଗ୍ରହଣକରି ସ୍ବର୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନିଜର ସମବେଦନା ଜଣାଇଥିଲେ। ପରଲୋକଗତଙ୍କ ବିୟୋଗରେ ଗୃହରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ୧୨ ମିନିଟ ଧରି ଗୃହରେ ଶୋକ ପ୍ରସ୍ତାବ ଆଲୋଚନା ହୋଇଥିଲା।

Share