ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ: ଅଭିଭାଷଣ ରଖିଲେ ରାଜ୍ୟପାଳ; ଭୁବନେଶ୍ୱର-କଟକ ମେଟ୍ରୋ ରେଳ ଦ୍ୱାରା ସଂଯୋଗ ଉଦ୍ୟମ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଛନ୍ତି। ଦିବଂଗତ ପୂର୍ବତନ ଏମ୍‌ପି, ବିଧାୟକ ଏବଂ ଶହୀଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି। ବାତ୍ୟା ‘ଫନୀ’ର ଭୟାବହତା ଓ କ୍ଷୟକ୍ଷତି ବିଷୟରେ ସୂଚନା ଦେବା ସହ ଏହାର ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି।
ରାଜ୍ୟପାଳ କହିଛନ୍ତି, ଲୋକଙ୍କ ଭରସା ଓ ବିଶ୍ୱାସକୁ ବଜାୟ ରଖିବାକୁ ଆମେ ସଙ୍କଳ୍ପବଦ୍ଧ। ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ପାଳନ ପାଇଁ ପ୍ରଥମ ଦିନରୁ ପ୍ରଚେଷ୍ଟା କରାଯାଇଛି। ସରକାର ଗଠନର ପ୍ରଥମ ଦିନରୁ ଏଥିପାଇଁ କାମ ଆରମ୍ଭ ହୋଇଛି। କାଳିଆ ଯୋଜନାରେ ଭୂମିହୀନ, ଭାଗଚାଷୀଙ୍କୁ ସାମିଲ କରାଯାଇଛି। ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ ହଜାର କୋଟି ଟଙ୍କାର କାମ ଦିଆଯିବ। ପ୍ରତି ପଞ୍ଚାୟତ ଓ ଜିଲାସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି। ହାଇସ୍କୁଲରେ ଆଇଟି ଲାବ୍‌ ପ୍ରତିଷ୍ଠା ହେବ। ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ଓ୍ବାଇଫାଇ କରାଯିବ। ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକଶିତ ହେଉଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସୂଚନା ଦେଇଛନ୍ତି। ସେହିପରି କଟକରୁ ରାଜଧାନୀକୁ ମେଟ୍ରୋ ରେଳ ଦ୍ୱାରା ଯୋଡିବାକୁ ଉଦ୍ୟମ ହେବା ସହ ପୁରୀକୁ ଏକ ବିଶ୍ୱ ଐତିହ୍ୟ ନଗରୀ ରୂପେ ପରିଗଣିତ କରାଯିବ। ୫ଟି ମ୍ୟୁନିସିପାଲ କର୍ପୋରେଶନକୁ ସ୍ମାର୍ଟ ସିଟି ପାଇଁ ଉଦ୍ୟମ ଚାଲିଛି ବୋଲି ରାଜ୍ୟପାଳ କହିଛନ୍ତି।

Share