ବିଧାନସଭା ଅଧିବେଶନ: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ଆନ୍ଦୋଳନକାରୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ବୁଧବାରଠାରୁ ବିଧାନସଭାର ଷୋଡ଼ଶ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ପୋଲିସ ଡିଜି ବି.କେ. ଶର୍ମା ଓ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବିଧାନସଭା ଭିତର ଓ ପରିସର ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ସହ ଯାଞ୍ଚ କରିଛନ୍ତି। ସୁରକ୍ଷା ଦାୟିତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହାପରେ ସୁରକ୍ଷା ସଂକ୍ରାନ୍ତ ରିହର୍ସାଲ କରାଯାଇଥିଲା। ବାଚସ୍ପତି ବିଧାନସଭା ପ୍ରବେଶ କରିବା ପୂର୍ବରୁ କିଭଳି ଗାର୍ଡଅଫ୍‌ ଅନର ଦିଆଯିବ ତାହା ଉପରେ ପୂର୍ବାଭ୍ୟାସ କରାଯାଇଥିଲା। ସେହିଭଳି ବିଧାନସଭା ଭିତର ଓ ବାହାରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଓ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ କରାଯାଇଥିଲା।
ତେବେ ଏ ସଂକ୍ରାନ୍ତରେ ଡିଜିପି କହିଛନ୍ତି, ବିଧାନସଭା ଓ ଆଖପାଖ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ କଣ୍ଟ୍ରୋଲରୁମ୍‌ ଓ ସମନ୍ବିତ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୯୦ ଅଫିସର ରହିଛନ୍ତି। ଏହାସହ ୨ ସ୍ପେଶାଲ ଟାକ୍ଟିକାଲ ୟୁନିଟ, ଷ୍ଟ୍ରାଇକିଂ ଫୋର୍ସ ଓ କ୍ୟୁଆର୍‌ଟି ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ରୁଫ୍‌ ଟପ୍‌ ସିକ୍ୟୁରିଟି ସହ ବିଭିନ୍ନ ସ୍ଥାନରେ ସାଦା ପୋଷାକଧାରୀ ପୋଲିସ ପୂରା ସ୍ଥିତି ଉପରେ ନଜର ରଖିବେ। ବିଧାନସଭା ଓ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବା ସହ ସିସିଟିଭି ନଜରରେ ରହିବ। ଲୋୟର ପିଏମ୍‌ଜିରେ ଏକାଧିକ ସଂଗଠନ ଧାରଣା ଓ ବିକ୍ଷୋଭ କରିବେ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ନୂତନ ଭାବେ ୭ ବାଟାଲିୟନ ଫୋର୍ସକୁ ଟ୍ରେନିଂ ଦିଆଯାଇଛି। ଏଠାରେ ବହୁବର୍ଷ ଧରି କାର୍ଯ୍ୟ କରୁଥିବା ଅଭିଜ୍ଞ ବ୍ୟକ୍ତିମାନଙ୍କୁ ବିଧାନସଭାର ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ବିକ୍ଷୋଭ ସମୟରେ କୌଣସି ସଂଗଠନ ଆଇନକୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଶର୍ମା କହିଛନ୍ତି।

Share