ବିଧାନସଭା ନୂଆ ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ଗୁରୁବାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନୂଆ ଉପବାଚସ୍ପତି ଭାବେ ରଜନୀକାନ୍ତ ସିଂ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ପଦ ପାଇଁ ରଜନୀକାନ୍ତଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ। ଶେଷରେ ସଂଖ୍ୟାଗରିଷ୍ଠତା ଓ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇ ନ ଥିବା ଯୋଗୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରଜନୀକାନ୍ତଙ୍କ ନାମକୁ ଉପବାଚସ୍ପତି ଭାବେ ଘୋଷଣା କରିଥିଲେ।

ବାଚସ୍ପତି ବୁଧବାର ଉପବାଚସ୍ପତି ନିର୍ବାଚନ ନେଇ ଗୃହରେ ସୂଚନା ଦେଇଥିଲେ। ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଥିଲା। ତେବେ ବିଜେଡି ରଜନୀକାନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇ ନ ଥିଲା। ଏଣୁ ସଂଖ୍ୟାଗରିଷ୍ଠତା ଯୋଗୁ ରଜନକାନ୍ତ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଥିଲା।

ସୂଚନାଯୋଗ୍ୟ, ରଜନୀକାନ୍ତ ଅନୁଗୋଳରୁ ଚତୁର୍ଥଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ନବୀନଙ୍କ ମନ୍ତ୍ରୀ ପରିଷଦରେ ଖଣି ଓ ଇସ୍ପାତ ମନ୍ତ୍ରୀ ଥିଲେ।

Share