ବିଧାନସଭା ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଆଲୋଚନା: ଡାକ୍ତର ଅଭାବ ଦୂର ପାଇଁ ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାଁରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ କରାଯାଇଛି। ହେଲେ ସେଠାରେ ସାମାନ୍ୟତମ ଚିକିତ୍ସା ସୁବିଧା କରା ନ ଯାଇ ଗରିବ ରୋଗୀଙ୍କୁ କଟକ ରେଫର କରିଦିଆଯାଉଛି। ଆର୍ଥିକ ଅବସ୍ଥା ଭଲ ନ ଥିବା କାରଣରୁ ସେମାନେ କଟକ ଆସି ହୀନସ୍ତା ହେଉଥିବା କଂଗ୍ରେସ ସଭ୍ୟ ପ୍ରଶ୍ନକାଳରେ କହିଛନ୍ତି।
ତାରା କହିଛନ୍ତି ଯେ, କୋରାପୁଟ ଜିଲାର ବହୁ ପିଏଚ୍‌ସି, ସିଏଚ୍‌ସିରେ ଡାକ୍ତର ଅଭାବ ରହିଛି। ନିକଟରେ ବିଶାଖାପାଟଣା ଯାଇଥିବା ଜଣେ ଗରିବ ଲୋକ ୩ ଲକ୍ଷ ଟଙ୍କା ଦେଇ ନ ପାରିବାରୁ ହଇରାଣ ହେଲା। କୋରାପୁଟ ଜିଲାପାଳ ସେଠାକାର ସ୍ଥାନୀୟ କଲେକ୍ଟରଙ୍କ ସହ କଥା ହେଲେ, ମାତ୍ର କୌଣସି ସୁଫଳ ମିଳିଲାନାହିଁ। ତେଣୁ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ତାରା କହିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ନବ ଦାସ କହିଥିଲେ ଯେ, ଜୟପୁର ବିଧାୟକଙ୍କ ଦ୍ୱାରା ଅଣାଯାଇଥିବା ସମସ୍ତ ବିଷୟକୁ ଧ୍ୟାନ ଦିଆଯିବ। ନିକଟ ଭବିଷ୍ୟତରେ କୋରାପୁଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା କରାଯିବ। ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ କିଛିବର୍ଷ ମଧ୍ୟରେ ଡାକ୍ତର ଅଭାବ ରହିବ ନାହିଁ। ପିଏଚ୍‌ସି ଏବଂ ସିଏଚ୍‌ସି ସମ୍ପର୍କରେ ଜିଲାୱାରି ସମୀକ୍ଷା ହେବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ। ଏହାପରେ ସନ୍ତୋଷ ସିଂ ସାଲୁଜା କଳିଙ୍ଗ ହସ୍ପିଟାଲ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବଲାଙ୍ଗୀର ଏବଂ କଣ୍ଟାବାଞ୍ଜି ଅଞ୍ଚଳରେ ଥିବା ପିଏଚ୍‌ସି, ସିଏଚ୍‌ସିରେ ଡାକ୍ତର ଅଭାବ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏମ୍ସକୁ ଆସି ହଇରାଣ ହେଉଥିବା ରୋଗୀଙ୍କ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। କେବଳ କଳିଙ୍ଗ ହସ୍ପିଟାଲର ଓଏସ୍‌ଟିଏଫ୍‌ କାଟିଦେଲେ ହେବନାହିଁ। ଏମିତିରେ କଳିଙ୍ଗ ହସ୍ପିଟାଲକୁ ବିଶେଷ ଓଏସ୍‌ଟିଏଫ ପାଣ୍ଠି ଦିଆଯାଇନାହିଁ। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସୁର ଦାବି କରିଥିଲେ। ଏଥିସହିତ ଏମ୍ସରେ ଦେଖାଯାଉଥିବା ସମସ୍ୟାର ଦୂର ପାଇଁ ନିର୍ଦ୍ଦେଶକଙ୍କୁ ଡାକି ତୁରନ୍ତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ ଦାସ ମଧ୍ୟ ଏଥିରେ ସକାରାତ୍ମକ ଉତ୍ତର ପ୍ରଦାନ କରିଥିଲେ। ଏଥିସହିତ ପ୍ରାଥମିକ ଭାବେ କଳିଙ୍ଗ ହସ୍ପିଟାଲର ଓଏସ୍‌ଟିଏଫ୍‌ କଟାଯାଇଛି। ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରାଯାଉଥିବା ମନ୍ତ୍ରୀ ଉତ୍ତର ଦେଇଥିଲେ।

Share