ବିଧାନସଭା ପ୍ରଶ୍ନୋତ୍ତର ବାତିଲ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ପ୍ରକୋପକୁ ଦେଖି (କୋଭିଡ୍‌-୧୯)ଷୋଡଶ ବିଧାନସଭାର ତୃତୀୟ ଅଧିବେଶନର ମାର୍ଚ୍ଚ ୧୬ ତାରିଖରୁ ୨୧ ଏବଂ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନୋତ୍ତରକୁ ବାତିଲ କରାଯାଇଛି। କରୋନା ଭୂତାଣୁ ପାଇଁ ରାଜ୍ୟ ସରକାର ବହୁ ସରକାରୀ ବିଭାଗର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ଛଡା ରାଜ୍ୟର ଅନ୍ୟ ଜିଲାକୁ ମଧ୍ୟ ତାଲା ବନ୍ଦ (ଲକଡାଉନ)କରାଯାଇଛି। ଏଥିଯୋଗୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ପ୍ରଶ୍ନୋତ୍ତର ଦେବା ସମ୍ଭବ ହେଉ ନାହିଁ। ବିଧାନସଭା ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରଶ୍ନୋତ୍ତରକୁ ବାତିଲ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଭବିଷ୍ୟତରେ ଏହାକୁ ଏକ ପ୍ରଥା ଭାବେ ନ ଗ୍ରହଣ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଧାନସଭା ସଚିବ ଦାଶରଥୀ ଶତପଥୀ ଏକ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

Share