ଲକ୍ଷ୍ନୌ/ମଓ,୧୭।୧୨: ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିଧାନସଭା ବାହାରେ ସାମାଜବାଦୀ ପାର୍ଟି(ଏସ୍ପି)ର ନେତା ଓ କର୍ମକର୍ତ୍ତମାନେ ଧାରଣା ଦେଇଛନ୍ତି। ଜଣେ ଏସ୍ପି ବିଧାୟକ ନିଜ ଶାର୍ଟ ଖୋଲି ନିଆରା ଢଙ୍ଗରେ ପ୍ରଦର୍ଶନ କରିଥିବା ବେଳେ ଅନ୍ୟ ଜଣେ ବିଧାୟକ ନଇମ ଉଲ୍ ହସନ ହାତରେ ଭାରତ ମାନଚିତ୍ରର ପୋଷ୍ଟର ଓ ସମ୍ବିଧାନର ବହି ଧରିବା ସହ ଲୁହାର ବେଡି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷେ ନାଗରିକତା ସଂଶୋଧନ ଆଇନ ବିରୋଧରେ ମଓରେ ହିଂସାତ୍ମକ ପ୍ରଦର୍ଶନ ପରେ ଏବେ ଶାନ୍ତ ପଡ଼ିଥିବା ଜଣାପଡ଼ିଛି। ଏଠାରେ ଏବେ ପରିସ୍ଥିତ ଶାନ୍ତ ଥିବା ବେଳେ ସହରର ଦକ୍ଷିଣ ଟୋଲା ଅଞ୍ଚଳରେ ପୋଲିସ ଓ ପିଏସିଙ୍କ ମାର୍ଚ୍ଚ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଏଡିଜି ଆଶୁତୋଷ ପାଣ୍ଡେ କହିଛନ୍ତି। ଏଥିସହ ପୂରା ଜିଲାରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି। ତେବେ ସହରରେ ହିଂସା ଥମିବା ପରେ ଭିଡିଓକୁ ଆଧାର କରି ପୋଲିସ ୧୯ଜଣଙ୍କୁ ଗିରଫ କରିଥିବା ବେଳେ ୮ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଏନେଇ ପ୍ରୟାଗରାଜରେ ୧୪୪ଧାରା ଲାଗୁ କରାଯାଇଥିବା ନେଇ ସୂଚନା ମିଳିଛି।