ବିଧାନସଭା ସ୍ଥାୟୀ କମିଟି ଅଧ୍ୟକ୍ଷ, ସଦସ୍ୟଙ୍କ ନାଁ ଘୋଷିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ବିଧାନସଭାର ୧୦ ସ୍ଥାୟୀ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନାମ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୋମବାର ଗୃହରେ ଘୋଷଣା କରିଛନ୍ତି। ଏହି ଅଧ୍ୟକ୍ଷମାନେ ହେଉଛନ୍ତି- କିଶୋର ମହାନ୍ତି, ନୃସିଂହ ସାହୁ, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂ, ଅଶ୍ୱିନୀ ପାତ୍ର, ନରସିଂହ ମିଶ୍ର, ପ୍ରଦୀପ ଅମାତ, ମୋହନ ମାଝି, ଦେବୀ ପ୍ରସାଦ ମିଶ୍ର ଏବଂ ସୁବ୍ରତ ତରାଇ। ପ୍ରତି କମିଟିରେ ଅଧ୍ୟକ୍ଷଙ୍କ ସମେତ ୧୨ ଜଣ ସଦସ୍ୟ ରହିଛନ୍ତି। ବିଧାନସଭା ସ୍ଥାୟୀ କମିଟି ନଂ-୧ ସ୍ବରାଷ୍ଟ୍ର, (ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ) ଏବଂ ଆଇନ ବିଭାଗ ପାଇଁ କାର୍ଯ୍ୟ କରିବ। ସେହିଭଳି କମିଟି ନଂ-୨ ଜଳସମ୍ପଦ, କୃଷି(କୃଷକ ସଶକ୍ତୀକରଣ) ମତ୍ସ୍ୟ ଏବଂ ପଶୁସମ୍ପଦ ଉନ୍ନୟନ ବିଭାଗ ପାଇଁ କାର୍ଯ୍ୟ କରିବ। କମିଟି ନଂ-୩ ପୂର୍ତ୍ତ, ପର୍ଯ୍ୟଟନ(ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି), ଗୃହ ଏବଂ ନଗର ଉନ୍ନୟନ, ସୂଚନା ଓ ଲୋକସମ୍ପକ ବିଭାଗ ପାଇଁ କାର୍ଯ୍ୟ କରିବ। କମିଟି ନଂ-୪ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ବିଜ୍ଞାନ ଓ କାରିଗରି(ଇଲେକଟ୍ରୋନିକ୍ସ , ସୂଚନା ଓ ପ୍ରଯୁକ୍ତିବିଦ୍ୟା) ବିଭାଗ ପାଇଁ କାର୍ଯ୍ୟ କରିବ। କମିଟି ନଂ-୫ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି) (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ) ବିଭାଗ ପାଇଁ କାର୍ଯ୍ୟ କରିବ।
କମିଟି ନଂ-୬ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ କାର୍ଯ୍ୟ କରିବ। କମିଟି ନଂ-୭ ଶିଳ୍ପ, ଇସ୍ପାତ ଓ ଖଣି, ବାଣିଜ୍ୟ, ପରିବହନ, ଜଙ୍ଗଲ ଓ ପରିବେଶ ଏବଂ (ଯୋଜନା ଓ ସଂଯୋଜନା) ଏବଂ (ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା)ଙ୍କ ପାଇଁ କାର୍ଯ୍ୟ କରିବ। ଅନୁରୂପଭାବେ କମିଟି ନଂ-୮ ଏସ୍‌ଟି, ଏସ୍‌ସି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ, ଶ୍ରମ ଏବଂ ସରକାରୀ କର୍ମଚାରୀଙ୍କ ରାଜ୍ୟ ବୀମା, ସାଧାରଣ ଉଦ୍ୟୋଗ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ପାଇଁ କାର୍ଯ୍ୟ କରିବ। ୯ ନଂ କମିଟି (ପଞ୍ଚାୟତିରାଜ ଓ ପାନୀୟଜଳ) ଏବଂ ଗ୍ରାମ ଉନ୍ନୟନ ପାଇଁ କାର୍ଯ୍ୟ କରିବ। ସେହିଭଳି କମିଟି ନଂ-୧୦ ଶକ୍ତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା(ଏବଂ ଅବକାରୀ) ବିଭାଗ ପାଇଁ କାର୍ଯ୍ୟ କରିବ। ବାଚସ୍ପତି ପାତ୍ର ପ୍ରତ୍ୟେକ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନାଁ ମଧ୍ୟ ଘୋଷଣା କରିଥିଲେ।

Share