Categories: ଜାତୀୟ

ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ ବାଚସ୍ପତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧: କର୍ନାଟକ ବିଧାନସଭାର ବାଚସ୍ପତି ଜେଡିଏସ୍‌ ଓ କଂଗ୍ରେସ ସରକାରଙ୍କ ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏନେଇ ବିଧାୟମାନେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି କୋର୍ଟ ବାଚସ୍ପତିଙ୍କ ଉପରେ ବର୍ଷିବା ସହ କଡ଼ା ଟିପ୍ପଣୀ ରଖିଛନ୍ତି। ବାଚସ୍ପତି ଜଣେ ଅଧିକାରୀ ଭାବେ କାର୍ଯ୍ୟକରୁଥିବା ବେଳେ ତାଙ୍କ ପାଖରେ ସୀମିତ କ୍ଷମତା ରହିଛି। ବିଧାୟକ ଓ ଏମ୍‌ପିଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟାକୁ ନେଇ ବାଚସ୍ପତିଙ୍କ ଭୂମିକା ଉପରେ ପୁନର୍ବିଚାର କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଆବେଦନକୁ ବାଚସ୍ପତି ନିଜ ପାଖରେ ରଖିପାରିବେ ନାହିଁ। ଏଭଳି ମାମଲାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ସଂସ୍ଥା ଗଠନ କରିବାକୁ ସୁପ୍ରମିକୋର୍ଟ ବାଚସ୍ପତିଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, କର୍ନାଟକରେ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ସମୟରେ ଲାଗିରହିଥିବା ବିବାଦକୁ ନେଇ ବିଧାନସଭା ବାଚସ୍ପତି ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିବା ସହ ବିଧାୟକଙ୍କୁ ଉପନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେଇଥିଲେ।

Share