ବିଧାୟକଙ୍କ ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ: ବିଭିନ୍ନ କାର୍ଯ୍ୟ କଲେ ଅନୁଧ୍ୟାନ

ମାଲକାନଗିରି,୨୪।୧(ଡି.ଏନ୍‌.ଏ.): ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ଶୁକ୍ରବାର ଅଚାନକ ଜିଲା ସଦର ମହକୁମା ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତାଙ୍କ ଗସ୍ତବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ.ଅଜୟ କୁମାର ବୈଠାରୁ ଉପସ୍ଥିତ ଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ବିଧାୟକ ପରେ ଚିକିତ୍ସାଳୟର ବିଭିନ୍ନ କକ୍ଷ, ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସହ ବିଭିନ୍ନ ପରୀକ୍ଷା ଓ ଔଷଧ ମାଗଣାରେ ମିଳୁଛି କି ନାହିଁ, କର୍ମଚାରୀଙ୍କ ବ୍ୟବହାର ବିଷୟରେ ପଚାରି ବୁଝିଥିଲେ। ପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରି ଜିଲା ମୁଖ୍ୟ ଚିକତ୍ସାଳୟରେ ଡାକ୍ତର ପଦବୀ ଖାଲି ଥିବା ଅବଗତ ହୋଇଥିଲେ। ତେବେ ବର୍ତ୍ତମାନ ସିଟି ସ୍କାନ, ଏମ.ଆର.ଆଇ ସ୍କାନ ମେଶିନ୍‌ର ଆବଶ୍ୟକତା ଥିବାରୁ ସରକାରଙ୍କୁ ଏ ବିଷୟରେ ଅବଗତ କରାଇବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ପରେ ମେଡିକାଲ ପରିସରରେ ଆୟୋଜିତ ଜାତୀୟ କନ୍ୟା ସନ୍ତାନ ସୁରକ୍ଷା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ବିଧାୟକଙ୍କ ପରିଦର୍ଶନ ବେଳେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡଃ.ଅନିଲ କୁମାର ମିଶ୍ର ତାଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ।