ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ହାଇକୋର୍ଟରେ ମାମଲା: ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି

କଟକ ଅଫିସ, ୪ା୭: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଗତ ସାଧାରଣ ନିର୍ବାଚନ ସମୟରେ ମୋକିମ ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସାମନ୍ତରାୟ ପିଟିଶନରେ ଦର୍ଶାଇଛନ୍ତି, ମୋକିମଙ୍କ ବିରୋଧରେ ଯେଉଁସବୁ ଫୌଜଦାରି ମାମଲା ରହିଛି ସେ ସବୁକୁ ସତ୍ୟପାଠରେ ଦର୍ଶାଇନାହାନ୍ତି। ଏପରି କି ସେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ତାଲିକା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ତେଣୁ ମୋକିମଙ୍କ ସତ୍ୟପାଠ ଅର୍ଦ୍ଧସତ୍ୟ ଉପରେ ପର୍ଯ୍ୟବସିତ। ନିର୍ବାଚନ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଯୋଗୁ ଉକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯିବା ସହିତ ବାରବାଟୀ-କଟକରେ ସାନି ନିର୍ବାଚନ କରିବାକୁ ସାମନ୍ତରାୟ ପିଟିଶନରେ ନିବେଦନ କରିଛନ୍ତି। ମାମଲାରେ ସେ ରାଜ୍ୟ ଓ ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ମୋକିମ କୁହନ୍ତି, ଗଣମାଧ୍ୟମରୁ ମୁଁ ଏହି କଥା ଶୁଣିବାକୁ ପାଉଛି। କୋର୍ଟ ପକ୍ଷରୁ ମୋତେ ଏ ସମ୍ପର୍କରେ କୌଣସି ନୋଟିସ କରାଯାଇନାହିଁ। ଆବେଦନକାରୀ ସାମନ୍ତରାୟଙ୍କ ପକ୍ଷରୁ ଆଡଭୋକେଟ ଗୋପାଳ ଚନ୍ଦ୍ର ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

Share