Categories: ରାଜ୍ୟ

ବିଧାୟିକା ହେବା ପରେ ବରୀ ବ୍ଲକ ଅଧ୍ୟକ୍ଷା ପଦରୁ ସୁନନ୍ଦା ଦାସଙ୍କ ଇସ୍ତଫା

ବରୀ,୨୮ା୫(ସ୍ବ.ପ୍ର.)- ବରୀ ବିଧାୟିକା ଭାବେ ନିର୍ବାଚିତ ହେବା ପରେ ସୁନନ୍ଦା ଦାସ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ବୁଧବାର ସୁନନ୍ଦା ବିଧାୟିକା ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି। ଏ ନେଇ ମଙ୍ଗଳବାର ସୁଦ୍ଧା ପ୍ରସ୍ତୁତି ପର୍ବ ଶେଷ ହୋଇଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଅଙ୍ଗାଳ ସମିତି ସଭ୍ୟା ହୋଇ ବରୀ ବ୍ଲକ ଅଧ୍ୟକ୍ଷାଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସୁନନ୍ଦାଙ୍କ ରାଜନୀତି ଗତିପଥ ବଦଳିଯାଇଛି। ବିଜେଡିରୁ ଟିକେଟ ପାଇ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ବୁଧବାର ଶପଥ ଗ୍ରହଣ ଉତ୍ସବକୁ ନେଇ ବିଜେଡି ଶିବିର ଉତ୍ସବମୁଖର ହୋଇଉଠିଛି। ସୁନନ୍ଦା ଦାସ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ପରେ ବରୀ ବ୍ଲକ ପ୍ରଶାସନ ଅଙ୍ଗାଳ ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ପୁନର୍ବାର ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ବରୀରେ ବ୍ଲକ ଅଧ୍ୟକ୍ଷ ପଦ ଖାଲି ପଡିଥିବାବେଳେ ଏହାକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ରାଜନୀତି ଗୋଟି ଚାଳନାରେ ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ବେଶ୍‌ ପାରଙ୍ଗମ ବୋଲି କୁହାଯାଉଛି। ଦେବେନ୍ଦ୍ରଙ୍କ ଗୋଟି ଚାଳନାରେ ବିଜେଡି ହାତରେ ଅଧ୍ୟକ୍ଷ ପଦ ରହିଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

Share