ବିନାନୁମତିରେ କାଟିଦେଲେ ଶତାଧିକ ଗଛ

କାଳିଆପାଣି,୯ା୨(ଡିଏନଏ): ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇ ପୃଥିବୀ ଧ୍ୱଂସ ହେବାକୁ ବସିଥିବାବେଳେ ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ସଂରକ୍ଷିତ ଜଙ୍ଗଲରୁ ବେଆଇନଭାବେ ଶହଶହ ଗଛ କଟାଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସୁକିନ୍ଦା ବନଖଣ୍ଡ ଅଧୀନରେ ରହିଥିବା କାଙ୍କଡ଼ପାଳ ପଞ୍ଚୟତର ଭାଲୁକିପାତଳା ଗ୍ରାମ ସଂରକ୍ଷିତ କାଜୁ ଜଙ୍ଗଲରୁ ଲଗାତରଭାବେ ଦୁର୍ବୃତ୍ତମାନେ ଗଛ କାଟି ନେଉଛନ୍ତି। ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାଲୁକିପାତଳା ଗ୍ରାମ ନିକଟରେ ଏକ କାଜୁ ଉଦ୍ୟାନ ରହିଥିଲା। ଯେଉଁଥିରେ ହଜାର ହଜାର କାଜୁ ଗଛ ୫୦ ହେକ୍ଟର ଜମିରେ ରହିଥିଲା। ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ତାହାକୁ ନିଲାମ କରାଯାଇ ଲକ୍ଷାଧିକ ଟଙ୍କା ରାଜସ୍ବ ସରକାରଙ୍କ ତହବିଲକୁ ଯାଉଥିଲା। ଏହି କାଜୁ ଗଛରୁ ପଡ଼ୁଥିବା ପତର ଗୋଟାଇ ସ୍ଥାନୀୟ ଗ୍ରାମବାସୀ ଜଳେଣିଭାବେ ବ୍ୟବହାର କରୁଥିଲେ। ଏଥିସହ ଏହି ଗଛ ଅଞ୍ଚଳରେ ଏକ ସବୁଜ ବଳୟ ସୃଷ୍ଟି କରୁଥିଲା। ତେବେ ଓଡ଼ିଶା ଖଣି ନିଗମ ପକ୍ଷରୁ କାଳିଆପାଣି ପଞ୍ଚୟତର ପୁରୁଣାପାଣି ଗ୍ରାମବାସୀଙ୍କୁ ୫ବର୍ଷ ପୂର୍ବେ ସେହି ଅଞ୍ଚଳକୁ ବିସ୍ଥାପିତ କରାଯାଇଛି। ସମସ୍ତ ପରିବାରକୁ ୨ ଗୁଣ୍ଠ ଜମିପଟ୍ଟା ଦେବା ସହ ଘର କରିବାକୁ ପରିବାର ପିଛା ଆର୍ଥତ୍କ ସହଯୋଗ ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ ବିସ୍ଥାପିତମାନେ ଧିରେଧିରେ ସେହି ଅଞ୍ଚଳରୁ କାଜୁ ଗଛ କାଟି ପଦା କରିବାରେ ଲାଗିଛନ୍ତି। କିଛିଦିନ ହେବ ସେମାନେ କାଜୁ ଗଛ କାଟୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଇ ନ ଥିଲା। ଫଳରେ ଧିରେଧିରେ ଶହଶହ ଗଛ କାଟି ଅଞ୍ଚଳକୁ ପଦା କରି ଦେଇଥିଲେ। ଗୁରୁବାର ମଧ୍ୟ ୫୦ରୁ ଊର୍ଦ୍ଧ୍ୱ ଗଛ କାଟି ତଳେ ପକାଇ ଦେଇଥିଲେ। ଏହି ଖବରପାଇ ଭାଲୁକିପାତଳା ଗ୍ରାମର ବହୁ ମହିଳା ଓ ପୁରୁଷ କଟାଯାଇଥିବା ସ୍ଥାନରେ ପହଞ୍ଚତ୍ଥିଲେ। ପଚାରାଉଚରା କରିବାରୁ ବିସ୍ଥାପିତ ପରିବାରଗୁଡ଼ିକ ଏକ ଖେଳ ପଡ଼ିଆ କରିବାକୁ ଏପରି କରିଥିବା ପ୍ରକାଶ କରିଥିଲେ। ଭାଲୁକିପାତଳା ବନ ସୁରକ୍ଷା ସମିତି ବିସ୍ଥାପିତ ଗ୍ରାମବାସୀ ଏପରି କାହିଁକି କରିଥିବା ନେଇ ସେମାନଙ୍କୁ ପ୍ରଶ୍ନ କରିଥିଲେ ହେଁ ସେମାନେ କୌଣସି ଉତ୍ତର ଦେଇ ନ ଥିଲେ। ପରେ ଭାଲୁକିପାତଳା ଗ୍ରାମବାସୀମାନେ ମିଳିତଭାବେ କାଳିଆପାଣି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ କଟାଯାଇଥିବା କାଜୁ ଗଛ ଜବତ କରିଥିବାବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ସୁକିନ୍ଦା ବନ ବିଭାଗ ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କୁ ପଚାରିବାରୁ, ଗଛ କାଟିବା ଏକ ଅପରାଧ। ଯଦି ସେପରି କୌଣସି ସ୍ଥାନରେ କଟାଯାଇଛି, ତେବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।