ବିନାନୁମତିରେ ଖାଦ୍ୟ ବାଣ୍ଟିପାରିବେନି ସ୍ବେଚ୍ଛାସେବୀ

ଭୁବନେଶ୍ୱର, ୩୧ା୩(ବ୍ୟୁରୋ): କୋଭିଡ଼୍‌-୧୯ର ସଂକ୍ରମଣକୁ ଏଡ଼ାଇବା ସହ ଜନସାଧାରଣଙ୍କ ସୁବିଧାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେଉଛି। ଏହି ମର୍ମରେ ସୋମବାର ଖାଦ୍ୟ ସାମାଗ୍ରୀ ବାଣ୍ଟୁଥିବା ଜନସାଧାରଣ ଓ ସ୍ବେଚ୍ଛାସେବୀଙ୍କ ପାଇଁ ଏସ୍‌ଓପି ଜାରି କରିଛି। ବିଏମ୍‌ସିର ବିନା ଅନୁମତିରେ କେହି ଖାଦ୍ୟ ବାଣ୍ଟିପାରିବେ ନାହିଁ। ବିଶେଷକରି ରନ୍ଧା ଖାଦ୍ୟ ବାଣ୍ଟିବେ ନାହିଁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ବିଏମ୍‌ସି ଆସିଷ୍ଟାଣ୍ଟ କମିଶନର ଏଲ୍‌. ପି. ସାହୁଙ୍କୁ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଫିସର ଭାବେ ଚୟନ କରାଯାଇଥିବା ବେଳେ ୩ଟି ଜୋନରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଥିବା କମିଶନର କହିଛନ୍ତି।
ଗ୍ରସେରି, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଆଦି ବାଣ୍ଟୁୁଥିବା ଜନସାଧାରଣ ଓ ସ୍ବେଚ୍ଛାସେବୀ ଏବେ ଗୋଟିଏ ଦିନ ପୂର୍ବରୁ ଖାଦ୍ୟ ସାମଗ୍ରୀ ତାଲିକା ସହ କେଉଁ ଅଞ୍ଚଳରେ ବାଣ୍ଟିବେ ସେନେଇ ସବିଶେଷ ତଥ୍ୟ ବିଏମ୍‌ସିକୁ ପ୍ରଦାନ କରିବେ। ଏହି ତଥ୍ୟ ହସ୍ତଗତ ହେବା ପରେ ନୋଡାଲ ଅଫିସରମାନେ ଅପରାହ୍ନ ସୁଦ୍ଧା ଡାଟାବେସ୍‌ ପ୍ରସ୍ତୁତ କରି ସମ୍ପୃକ୍ତ ଜୋନ୍‌ର ଜୋନାଲ ଡେପୁଟି କମିଶନରଙ୍କ ସହ ଯୋଗାଯୋଗ କରିବେ। ତା’ପରେ ସମ୍ପୃକ୍ତ ଜୋନରେ ଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରାଯିବ ବୋଲି ଏସ୍‌ଓପିରେ ଉଲ୍ଲେଖ ହୋଇଛି। ଏଥିସହ ଦିବ୍ୟାଙ୍ଗ, ଆର୍ଥିକ ଦୁର୍ବଳ ଏବଂ ନିରାଶ୍ରୟଙ୍କୁ ଚିହ୍ନଟ କରାଯାଇ ରନ୍ଧାଖାଦ୍ୟ ଦିଆଯିବ। ଅଙ୍ଗନୱାଡି, ଆଶାକମୀଙ୍କ ସହ ସମ୍ପୃକ୍ତ ୱାର୍ଡ ଅଫିସରମାନେ ଏହାକୁ କାର୍ଯ୍ୟକାରୀ କରିବେ। ଏଥିସହ ବଣ୍ଟନ ସ୍ଥଳରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗରିବ ଓ ଅସହାୟଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ ସେବା ଆହାର ଯୋଜନାରେ କରାଯିବାକୁ ଥିବାବେଳେ ଏଥିରେ ୪ଟି ଗାଡ଼ି ନିୟୋଜିତ ହେବ।
ଏଥିସହ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଦାନ କରାଯାଇଥିବା ସାମଗ୍ରୀଗୁଡ଼ିକୁ ବଣ୍ଟନ କରିବା ପାଇଁ ଛୋଟ ଟ୍ରକ୍‌ ବ୍ୟବହାର କରାଯିବ। ପ୍ରଶସ୍ତ କୋଠରୀରେ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ରଖିବା ପାଇଁ କମିଶନି ନିର୍ଦ୍ଦେଶ ଦେଇଛନ୍ତି।

Share