ବିନା ଅନୁମତିରେ ଘରକୁ ଯାଇଛନ୍ତି ଜୁନାଗଡ଼ର ୬୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ: କାରଣ ଦର୍ଶାଅ ନୋଟିସ ଜାରି

ଜୁନାଗଡ଼,୨୯।୪(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି। ଏପରିକି ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିଜ ମହକୁମାରେ ରହି କୋଭିଡ-୧୯ ମୁକାବିଲା କରିବା କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ବେଖାତିର କରିଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୬୦ରୁ ଊର୍ଦ୍ଧ୍ୱ ଶିକ୍ଷୟତ୍ରୀ/ଶିକ୍ଷକ। ସ୍ଥାନୀୟ ଶିକ୍ଷାବିଭାଗର ଅନୁମତି ନ ନେଇ ସେମାନେ ଜିଲା ଛାଡି ନିଜ ନିଜ ଗାଁକୁ ଚାଲିଯାଇଛନ୍ତି। ଏହା ଜଣାପଡ଼ିବା ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଜିଲାକୁ ପ୍ରବେଶ ନ କରାଇବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଳାହାଣ୍ଡି ଜିଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ଜୁନାଗଡ ବ୍ଲକ ଶିକ୍ଷାଧିକାରୀ ସୁଧାଂଶୁ ବାଳା ଦେବୀଙ୍କୁ ପଚାରିବାରୁ ସେ କୁହନ୍ତି, ଶିକ୍ଷା ବିଭାଗର ବିନା ଅନୁମତିରେ ୬୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ ନିଜ ଗଁାକୁ ପଲାଇ ଯାଇଛନ୍ତି। ଉକ୍ତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ପ୍ରକାଶ କରିଥିଲେ।

Share