Categories: ଅନୁଗୋଳ

ବିନା ଅନୁମତିରେ ବିଦ୍ୟୁତ୍‌ ସଂଯୋଗକୁ ବିରୋଧ: ଏନଜେନ ଜେଇ, ଲାଇନ ମ୍ୟାନ ଅଟକ

ବନ୍ତଳା, ୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ବଡକେରା ବିଦ୍ୟୁତ୍‌ ସବଷ୍ଟେଶନ ଅଧୀନରେ ଥିବା ତୁମୁଣି ଭାଲିଆ ପାଳ ଗ୍ରାମରେ ଗ୍ରାମବାସୀଙ୍କ ଅଗୋଚରରେ ଏକ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ କରାଯିବାକୁ ବିରୋଧ କରାଯାଇଛି। ଏହାକୁ ନେଇ ଗୁରୁବାର ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ ଏନ୍‌ଜେନ ଜେଇ, ଦୁଇଜଣ ଲାଇନ ମ୍ୟାନ, ଡ୍ରାଇଭରଙ୍କ ସହ ଏକ ବୋଲେରୋ ଅଟକ ରଖିଥିଲେ। ଏଥିସହ ବନ୍ତଳା-ବଡକେରା ପୁରୁଣା କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମର ୫୦ ପରିବାର ପାଇଁ ସୌଭାଗ୍ୟ ଯୋଜନାରେ ଏନ୍‌ଟିପିସି ଜରିଆରେ ୬୩ କେଭିର ଟ୍ରାନ୍ସଫର୍ମର ଲଗାଯାଇଛି। ଏହି ବିଦ୍ୟୁତ୍‌ ସଂଯୋଗ ପାଇଁ ଉପଭୋକ୍ତାମାନେ ଚାନ୍ଦା ଆଦାୟ କରି ଅର୍ଥ ଦେଇଛନ୍ତି। ନୂତନ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଗ୍ରାମବାସୀଙ୍କ ଅନୁମତି ନେବା କଥା। କିନ୍ତୁ ଗ୍ରାମବାସୀଙ୍କୁ ନ ଜଣାଇ ଏନ୍‌ଜେନ ପକ୍ଷରୁ ଏକ ଦୋକାନକୁ ଥ୍ରୀ ଫେଜ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସକାଳ ୧୧ଟାରେ ଏକ ବୋଲେରୋରେ ଏନ୍‌ଜେନ ଜେଇ ଓ କର୍ମଚାରୀମାନେ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଯାଇଥିବା ଜାଣି ଗ୍ରାମବାସୀ ସେମାନଙ୍କୁ ଅଟକ ରଖିବା ସହ ରାସ୍ତାରୋକୋ କରିଥିଲେ। ପରେ ବନ୍ତଳା ଆଇଆଇସି ପ୍ରଦୀପ କୁମାର ପ୍ରଧାନ, ଏସ୍‌ଆଇ ସୌରଭ ସାମଲ ଓ ପୋଲିସ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଗ୍ରାମ ସଭାପତି ବିପିନ ନାଏକ, ସମ୍ପାଦକ ଭାବ ନାଏକ, ଜଗନ୍ନାଥ ନାଏକ, ଆରତ ନାଏକ, ବାବୁଲି ନାଏକ, ନର୍ସ ନାଏକ, ଅରୁଣ ନାଏକ, ଯୋଗେଶ ନାଏକ, ରଞ୍ଜନ ନାଏକ, ପ୍ରଶାନ୍ତ ନାଏକ, ଶେଷ ନାଏକ, ସୁମନ୍ତ ନାଏକ, ହେନା ନାଏକ, ବବିତା ନାଏକ, ବୀଣାପାଣି ନାଏକଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
ଏ ବିଷୟରେ ବଡକେରା ଏନ୍‌ଜେନ ଜେଇ ବିଭୂତି ପୃଷ୍ଟି କୁହନ୍ତି, ସୌଭାଗ୍ୟ ଯୋଜନାରେ ୬ ମାସ ହେଲା ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ୩୭ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୫ ଜଣ ବିଦ୍ୟୁତ୍‌ ଦେୟ ଦେଇଥିବା ବେଳେ ବାକି ୩୨ ଜଣ ୬ ମାସ ହେଲା ବକେୟା ପଇଠ କରିନହାନ୍ତି। ବିଲ୍‌ ପଇଠ ନ କଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ଉପଭୋକ୍ତାମାନଙ୍କୁ ଜଣାଯାଇଥିଲା। ଗୁରୁବାର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରୁଥିବା ସମୟରେ ଲୋକେ ବିରୋଧ କରିଥିଲେ। ସେମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ୩ ଦିନ ହେଲା ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ନିୟମ ଅନୁଯାୟୀ ଉପଭୋକ୍ତା ଜଣକ ଟଙ୍କା ଡିପୋଜିଟ କରିଛନ୍ତି।