ବିନା କାଉନ୍‌ସିଲରେ ଭୁବନେଶ୍ୱରକୁ ବର୍ଷେ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ୨୦୧୯ ଜାନୁୟାରୀ ୧୫ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଶେଷ କାଉନ୍‌ସିଲ ବୈଠକ ବସିଥିଲା। ଏହାପରେ କାଉନ୍‌ସିଲର କାର୍ଯ୍ୟକାଳ ସରିଥିଲେ ମଧ୍ୟ ପୌର ନିର୍ବାଚନ କିମ୍ବା ନୂଆ କାଉନ୍‌ସିଲ୍‌ ଗଠନ ହୋଇପାରିନି। ଇତିମଧ୍ୟରେ ବିନା କାଉନ୍‌ସିଲ୍‌ରେ ଭୁବନେଶ୍ୱରକୁ ବୁଧବାର ବର୍ଷେ ବିତିଯାଇଛି। କେବେ ନିର୍ବାଚନ ହେବ ତାହା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନି। ଏପରିସ୍ଥଳେ ମହାନଗର ନିଗମର ଓ୍ବାର୍ଡଗୁଡ଼ିକ ମୁରବୀ ଶୂନ୍ୟ ହୋଇଯାଇଥିବାବେଳେ ଅଧିକାରୀଙ୍କ ହାତରେ ସବୁ ଦାୟିତ୍ୱ ଅର୍ପଣ କରାଯାଇଛି। କିନ୍ତୁ କାର୍ଯ୍ୟଭାର ସହ ଚାପ ଭିତରେ ଅଧିକାରୀମାନେ ସବୁ ସମସ୍ୟା ଦେଖିପାରୁ ନାହାନ୍ତି କି ସମାଧାନ କରିପାରୁ ନ ଥିବା ଅନେକ ସମୟରେ ଅଭିଯୋଗ ଉଠୁଛି। ସ୍ମାର୍ଟସିଟି ପ୍ରକଳ୍ପଠାରୁ ଆରମ୍ଭ କରି ଓ୍ବାର୍ଡଗୁଡ଼ିକରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟ ମନଇଚ୍ଛା ଚାଲୁଥିବା ଦେଖିବାକୁ ମିଳୁଛି। କେଉଁଠି ଗଦା ଗଦା ଅଳିଆ ପଡ଼ିରହୁଛି ତ କେଉଁଠି ଅମୃତ ଯୋଜନାରେ ବିଛାଯାଇଥିବା ପାଇପ୍‌ ସଂଯୋଗୀକରଣ କାର୍ଯ୍ୟ ପାଇଁ ରାସ୍ତାକୁ ଖୋଳି ବିପଜ୍ଜନକ ଅବସ୍ଥାରେ ଛାଡ଼ି ଦିଆଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ପ୍ରସ୍ତାବ ଶୁଣିବାକୁ ମଧ୍ୟ କେହି ନାହାନ୍ତି। ଏପରି କି ଅଧିକାଂଶ ଓ୍ବାର୍ଡରେ ମୌଳିକ ସୁବିଧା ସୁଯୋଗ ପାଇବାରୁ ସହରବାସୀ ବଞ୍ଚତ୍ତ ହେଉଥିବା ନଜରକୁ ଆସିଛି।
ଅନ୍ୟପକ୍ଷରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଥିବାବେଳେ ବିଏମ୍‌ସି ବହୁ ସମୟରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥାଏ। ଏକ୍ଷେତ୍ରରେ ଜନପ୍ରତିନିଧି ବା କାଉନ୍‌ସିଲରମାନେ ଲୋକଙ୍କୁ ବୁଝାଶୁଝା କରିବା ସହ ଉଭୟଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି ସମସ୍ୟାର ସମାଧାନ କରିଥାନ୍ତି। ଏବେ କିନ୍ତୁ ତାହା ହୋଇପାରୁନି। ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ବିଏମ୍‌ସିର ମେଗା ପ୍ରକଳ୍ପ ୪୩ ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ମଧ୍ୟରୁ ୨୩ଟିକୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ତାହା ଆରମ୍ଭ ହୋଇପାରୁନି। ସେହିଭଳି ବିରୋଧ ଯୋଗୁ ଡ୍ରେନ୍‌ ନିର୍ମାଣ ହେଉ କି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନେକ ସ୍ଥାନରେ ଆଗେଇପାରୁ ନ ଥିବା ନଜିର ରହିଛି।
ପୂର୍ବତନ କର୍ପୋରେଟର ତଥା ବିଏମ୍‌ସି ଯୋଜନା ଓ ଉନ୍ନୟ କମିଟି ଅଧ୍ୟକ୍ଷ ନବକିଶୋର ବେହେରା କହିଛନ୍ତି, କାଉନ୍‌ସିଲ୍‌ ଥିବା ସମୟରେ ଲୋକମାନେ ସେମାନଙ୍କ ଦାବି ଓ ହକ୍‌ ସାବ୍ୟସ୍ତ କରି କାମ କରାଉଥିଲେ। ଜନପ୍ରତିନିଧିମାନେ ନିଜ ଲୋକଙ୍କ ସମସ୍ୟା ବୁଝି ପ୍ରଶାସନିକ ସ୍ତରରେ ସମାଧାନ କରୁଥିଲେ। ହେଲେ ଏବେ ଲୋକଙ୍କ ସହ ରହୁ ନ ଥିବା ଅଧିକାରୀ କ’ଣ ସେମାନଙ୍କ ଦୁଃଖକଷ୍ଟ ଓ ସମସ୍ୟା ସେପରି ବୁଝିପାରିବେ? ଏବେ ଲୋକେ କାହାକୁ ପାଖକୁ ଅଭିଯୋଗ କରିବେ ତାହା ମଧ୍ୟ ଜାଣିପାରୁ ନାହାନ୍ତି। ଫଳରେ ସମସ୍ୟା ସମାଧାନ ହେବାରେ ସମୟ ଲାଗୁଛି। ତୁରନ୍ତ ନିର୍ବାଚନ କରାଯାଇ ନୂଆ କାଉନ୍‌ସିଲ ଗଠନର ଆବଶ୍ୟକତା ରହିଥିବା ସେ କହିଛନ୍ତି।

Share