ବିନା ଟେଣ୍ଡରରେ କାମ ହାତେଇଛି ଦିଲୀପ କନ୍‌ଷ୍ଟ୍ରକଶନ

ପୁରୀ ଅଫିସ, ୩୦ା୧: ଗତ ୨୪ତାରିଖରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଠିକା ସଂସ୍ଥା ଦିଲୀପ କନ୍‌ଷ୍ଟ୍ରକଶନର ମୁଖ୍ୟ ଦିଲୀପ ଖଟେଇଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ପୁରୀରେ ଏହି ସଂସ୍ଥା କେତେକ କୋଠା ନିର୍ମାଣ କରିଥିବାବେଳେ ଅନେକ ନିର୍ମାଣ ଜାରି ରଖିଛି। ଏହି ସଂସ୍ଥାକୁ ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ ଦିଆଯାଇଥିବା ଅଭିଯୋଗ କରି ଶ୍ରୀଜଗନ୍ନାଥ ସେନା ବୁଧବାର ସିଂହଦ୍ୱାର ଥାନାରେ ଏତଲା ଦେଇଛି।
ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଏତଲାରେ ଦର୍ଶାଯାଇଛି ଯେ, ଦିଲୀପ କନଷ୍ଟ୍ରକଶନ୍‌କୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର କାମ ବିନା ଟେଣ୍ଡରରେ ଦିଆଯାଇଛି। ସେହିପରି ଉକ୍ତ କନଷ୍ଟ୍ରକସନ କମ୍ପାନୀ ଶ୍ରୀମନ୍ଦିର ଜଗମୋହନ, ଟାଉନ ଥାନା ନିକଟ ନୀଳାଦ୍ରି ଭକ୍ତନିବାସ, ସିଂହଦ୍ୱାର ସମ୍ମୁଖ ନୂତନ ଶେଡ୍‌ ତିଆରି କରିଛି। ନରେନ୍ଦ୍ରକୋଣସ୍ଥିତ ହବିଷିଆଳି କେନ୍ଦ୍ର, ପୁରୁଣା ଜେଲ୍‌ ପରିସରରେ ଭକ୍ତନିବାସ ଆଦି କେତେକ ନିର୍ମାଣ କାମ ଚାଲିଛି। ଉକ୍ତ ଠିକା ସଂସ୍ଥା ବିନା ଟେଣ୍ଡରରେ ଏହିସବୁ କାମ ନେଇଥିବା ସେନା ଅଭିଯୋଗ କରିଛି। ଏଥିସହ ପୁରୀର ବିକାଶ ପାଇଁ ଆସିଥିବା ଶହ ଶହ କୋଟି ଟଙ୍କାର କାମ ମଧ୍ୟ ଏହି ସଂସ୍ଥାକୁ ଦିଆଯାଇଥିବା ପଟ୍ଟନାୟକ କହିଛନ୍ତି। ଏସବୁ କାମର ମାନ ଓ ସ୍ଥାୟିତ୍ୱ ପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି କାମର ମାନ ଯାଞ୍ଚ ସହ କୋଟି କୋଟି ଟଙ୍କାର ସରକାରୀ କାମ କିପରି ଉକ୍ତ ଠିକା ସଂସ୍ଥାକୁ ଦିଆଯାଇଛି ତାହାର ବିଧିବଦ୍ଧ ତଦନ୍ତ କରାଯାଉ। ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ମାମଲା ରୁଜୁ ହେଉ। ନଚେତ୍‌ ଆନ୍ଦୋଳନ କରାଯିବା ସହ କୋର୍ଟର ଆଶ୍ରୟ ନିଆଯିବ ବୋଲି ପଟ୍ଟନାୟକ କହିଛନ୍ତି। ଏହି ଅଭିଯୋଗ ସଂକ୍ରାନ୍ତରେ ଠିକାସଂସ୍ଥା ଦିଲୀପ କନ୍‌ଷ୍ଟ୍ରକଶନ୍‌ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Share