ବିନା ଟୋକନରେ ହେଲା ଧାନକିଣା

ସମ୍ବଲପୁର(ବ୍ୟୁରୋ)/ବରଗଡ଼ ଅଫିସ,୨୨-୧୧:ବରଗଡ଼ ଓ ସମ୍ବଲପୁର ଜିଲାରେ ଚାଷୀ ଆନ୍ଦୋଳନ ପରେ ବଦଳିଛି ନିୟମ। ସମ୍ବଲପୁରରେ ବିନା ଟୋକନରେ ଆରମ୍ଭ ହୋଇଛି ଧାନ କିଣା। ବରଗଡ଼ରେ ବି ଖୋଦ୍‌ ଜିଲାପାଳ ଏ ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଗୁରୁବାର ଅପରାହ୍ନରେ ସମ୍ବଲପୁରରେ ଚଳିତ ବର୍ଷର ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଛି।
ସମ୍ବଲପୁରର ଚାଷୀମାନେ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଧାନ କିଣାକୁ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥାକୁ ସେମାନେ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଶେଷରେ ସମାଧାନ ବାଟ ଫିିଟିଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ସରକାରଙ୍କ ଉପ ମୁଖ୍ୟସଚେତକ ବିଧାୟକ ରୋହିତ ପୂଜାରୀ ଚାଷୀଙ୍କ ସହ ଏ ନେଇ ତୁହାକୁ ତୁହା ଆଲୋଚନା କରିଥିଲେ। ଚାଷୀମାନଙ୍କ ସମସ୍ତ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଚାଷୀମାନେ ବିନା ଟୋକନରେ ଧାନ ବିକିଲା ପରେ ଯାଇ ରାସ୍ତା ଅବରୋଧ ହଟିବ ବୋଲି ଜିଦ୍‌ ଧରିଥିଲେ। ପରେ ବରେଇପାଲି ମାର୍କେଟରେ ୭ ଜଣ ଚାଷୀଙ୍କ ୧୫୦୪ ପକେଟ ଧାନ ଯୋଗାଣ ବିଭାଗ ପକ୍ଷରୁ କିଣା ଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଚାଷୀଙ୍କ ପାଖରେ ଟୋକନ ନ ଥିଲା। ତୁରନ୍ତ ସେମାନଙ୍କୁ ଟୋକନ ଦିଆଯାଇଥିଲା। ପରେ ଚାଷୀମାନେ ରାସ୍ତା ଅବରୋଧର ହଟିଥିଲା।
ସେହିପରି ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟାରୁ ବରଗଡ଼ ଜିଲାର ଚାଷୀମାନେ ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ସମଲେଶ୍ୱରୀ ମନ୍ଦିର ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥକୁ ଧାନବସ୍ତା ରଖି ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁସଂଖ୍ୟକ ଯାନବାହନ ଅଟକି  ରହିଥିବାବେଳେ ବରଗଡ଼-ସମ୍ବଲପୁର ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା।
ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ବିନା ଟୋକନରେ ମଣ୍ଡିକୁ ଯେତେ ପରିମାଣରେ ଧାନ ଆସିଲେ ମଧ୍ୟ ତାକୁ କିଣାଯିବ ବୋଲି ଜିଲାପାଳ ପ୍ରଧାନ କହିଥିଲେ। ହେଲେ ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ ଚାଷୀମାନେ ଅଡ଼ି ବସିଥିଲେ। ପରେ ମନ୍ତ୍ରୀ ସିଂ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ଆଚାର୍ଯ୍ୟ, ଜିଲାପାଳ ପ୍ରଧାନ ସେଠାକୁ ପହଞ୍ଚି ପୁଣି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ବିନା ଟୋକନରେ ଧାନ କିଣାବିକା ହେବ ଏବଂ ମଣ୍ଡିରେ ପଡ଼ିଥିବା ଧାନକୁ ଅଗ୍ରାଧିକାର ଭିତ୍ତିରେ କିଣାଯିବ ବୋଲି ସେମାନେ ମୌଖିକ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ରାଜପଥ ଉପରେ ପଡ଼ିଥିବା ଧାନ ଉଠାଣ ହେବ ବୋଲି ସେମାନେ କହିଥିଲେ। ଏହାପରେ ଆନ୍ଦୋଳନରତ ଚାଷୀମାନେ ରାତି ପ୍ରାୟ ସାଢ଼େ ୭ଟାରେ ଆନ୍ଦୋଳନରୁ ଓହରିଥିଲେ ଏବଂ ରାଜପଥ ଉପରେ ପଡ଼ିଥିବା ଧାନ ଉଠାଣ ହୋଇଥିଲା।

Share