ବିନା ପଞ୍ଜିକୃତ ସଫେଇ ଗାଡ଼ିରୁ ଜରିମାନା ଆଦାୟ

ପୁରୀ ଅଫିସ,୧୨ା୧: ବିନା ପଞ୍ଜୀକରଣରେ ଅଳିଆ ନେଉଥିବା ଏକ ସଫେଇ ଗାଡ଼ିରୁ ପୁରୀ ପୌରସଂସ୍ଥା ଏନଫୋର୍ସମେଣ୍ଟ ସ୍କ୍ବାଡ ଜରିମାନା ଆଦାୟ କରିଛି। ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପୂର୍ବରୁ ଏକାଧିକ ଗାଡ଼ି ଅଳିଆ ଆଣି ବିଭିନ୍ନ ସ୍ଥାନରେ ପକାଉଥିଲେ। ତେଣୁ ଏଥିରେ ଅଙ୍କୁଶ ଆଣିବା ଲାଗି ଯେଉଁ ଗାଡ଼ି ପୌରସଂସ୍ଥା ନିକଟରେ ପଞ୍ଜୀକରଣ କରିଥିବ ସେହି ଗାଡ଼ି ହିଁ କେବଳ ଅଳିଆ ଆଣି ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇପାରିବ ବୋଲି ନିୟମ ହୋଇଥିଲା। କେବଳ ପୌରସଂସ୍ଥାର ୪ଟି ଗାଡ଼ି ଏଥିପାଇଁ ପଞ୍ଜୀକୃତ କରି ଲୋକଙ୍କ ଘରୁ ଅଳିଆ ଆଣୁଥିଲା। କୌଣସି ଘରୋଇ ଗାଡ଼ି ଏଥିନିମନ୍ତେ ପୌରସଂସ୍ଥା ନିକଟରେ ଏ ପର୍ଯ୍ୟନ୍ତ ପଞ୍ଜୀକରଣ କରି ନ ଥିବାବେଳେ ଶନିବାର ଗୋଟିଏ ଗାଡ଼ି ଅଳିଆ ପରିବହନ କରୁଥିବା ଏନଫୋର୍ସମେଣ୍ଟ ସ୍କ୍ବାଡ ଦେଖିଥିଲେ। ସମ୍ପୃକ୍ତ ଗାଡ଼ିକୁ ଧରି ୨,୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ।