Categories: ଜାତୀୟ

କରୋନା କରାଇଦେଲା ପାସ୍‌

ଲକ୍ଷ୍ନୌ,୧୮।୩: ସାରା ଦେଶରେ କରୋନା ଭାଇରସ୍‌କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପ୍ରକୋପରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକତ୍ରିତ ହୋଇ କାର୍ଯ୍ୟ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ କେତେକ କଟକଣା ଜାରି କରାଯାଇଛି। ତଥାପି ଦିନକୁ ଦିନ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଯୋଗୁ ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ କରାଯିବା ସହ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ବୁଧବାର ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବୈଷୟିକ ଶିକ୍ଷା ପରିଷଦ ଅନୁସାରେ ବିନା ପରୀକ୍ଷାରେ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ଯାଏ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାସ୍‌ କରିଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଅର୍ଥାତ୍‌ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାମାନେ ଏବେ ବିନା ପରୀକ୍ଷା ଦେଇ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଶିକ୍ଷା) ରେଣୁକା କୁମାର ସୂଚନା ଦେଇଛନ୍ତି। ପ୍ରାଥମିକ ସ୍କୁଲ ଗୁଡ଼ିକରେ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୨୩ରୁ ୨୮ ମଧ୍ୟରେ ହେବାର ଥିଲା। କିନ୍ତୁ କରୋନା ଭାଇରସ୍‌ ଯୋଗୁ ରାଜ୍ୟରେ ସମସ୍ତ ସ୍କୁଲକୁ ଏପ୍ରିଲ ୨ ଯାଏ ଛୁଟି ଘୋଷଣା କରାଯିବା ସହ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେଣୁ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।

Share