ବିନା ପାସ୍‌ରେ ଓଡ଼ିଶାରେ ପ୍ରବେଶ ମନା, ଭୁଲ ରୁଟ୍‌ରେ ଗଲେ ସିଜ୍‌ ହେବ ବସ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩।୫(ବ୍ୟୁରୋ): ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ସୁରୁଖୁରୁରେ ଫେରାଇ ଆଣିବା ସହ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ପ୍ରବାସୀଙ୍କ ଫେରିବା ପାଇଁ ବସ୍‌ ଏବଂ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏସବୁ ସତ୍ତ୍ୱେ କିଛି ବିଶୃଙ୍ଖଳିତ ଆଚରଣ କରୁଥିବା ନଜରକୁ ଆସୁଛି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରବିବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବିନା ପାସ୍‌ରେ ବସ୍‌କୁ ସୀମା ଭିତରେ ପ୍ରବେଶ ଅନୁମତି ମିଳିବ ନାହିଁ। ପାସ୍‌ ଥିଲେ ବି ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଥିଲେ ଅନୁମତି ମନା। ଉକ୍ତ ବସ୍‌କୁ ଫେରାଇ ଦିଆଯିବ। ଗନ୍ତବ୍ୟସ୍ଥଳ ପହଞ୍ଚିବା ପାଇଁ ଧାର୍ଯ୍ୟ ରୁଟ୍‌ରୁ ଅଲଗା ରୁଟ୍‌କୁ ଯିବାକୁ ମନା କରାଯାଇଛି। ଏପରି କଲେ ସମ୍ପୃକ୍ତ ବସ୍‌କୁ ସିଜ୍‌ କରି ଦିଆଯିବ ବୋଲି ସେ କହିଛନ୍ତି।

ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସମସ୍ତ ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର ପାଳନ କରୁଛନ୍ତି। ଏସବୁ ମଧ୍ୟରେ ଜନସାଧାରଣଙ୍କ ଧୌର୍ଯ୍ୟ, ତ୍ୟାଗ, ପ୍ରଶାସନର ଚେଷ୍ଟା ଫଳରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି। ଗତ ଦୁଇ ମାସ ଭିତରେ ରାଜ୍ୟ ସରକାର ଯେଉଁ ଉପଲବ୍ଧି ପାଇଛନ୍ତି ଏହା ସହ ସାଲିସ କରିବାକୁ ଦେବୁନାହିଁ।

ଓଡ଼ିଶା ସୀମାନ୍ତ ଚେକ୍‌ ପଏଣ୍ଟ ଗୁଡ଼ିକରେ ଗନ୍ତବ୍ୟ ସୂଚନା, ପ୍ରବାସୀମାନଙ୍କ ରେଜିଷ୍ଟ୍ରେଶନ, ଗାଡ଼ି ବିଷୟରେ ସୂଚନା ଦେବାକୁ କୁହାଯାଇଥିଲା। ଯଦି ସୀମାରେ ପହଞ୍ଚିବା ବେଳକୁ ପାସ୍‌ ନ ଥିବ ତେବେ ଅସୁବିଧା ହେବ। ଗତ ଦୁଇ ଦିନ ମଧ୍ୟରେ କିଛି ବସ୍‌ ନିର୍ଦ୍ଦେଶନାମା ମାନୁ ନ ଥିବା ଦେଖାଯାଉଛି। ଏଣୁ ଏହାକୁ ଦୃଷ୍ଟିରେ ରଖି କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ବସ୍‌କୁ ସିଜ୍‌ କରାଯିବ। ସେଥିରେ ଆସୁଥିବା ଲୋକେ ଯେଉଁ ପଞ୍ଚାୟତର ହୋଇ ଥାଆନ୍ତୁ ନା କାହିଁକି ସେମାନଙ୍କୁ ସେଠାରେ ନ ଛଡ଼ାଯାଇ ଅନ୍ୟ ସ୍ଥାନରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯିବ। ଏପରିକି ଅବଧୀ ମଧ୍ୟ ବଢ଼ାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ବିନା ପାସ୍‌ରେ ଓଡ଼ିଶା ଆସୁଥିବା ବସ୍‌କୁ ସୁଯୋଗ ଦିଆଯିବନାହିଁ। ଏପରିକି ବସ୍‌ ଓଭରଲୋଡେଡ୍‌ ହୋଇ ଆସିଲେ ଫେରାଇ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

Share