ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇଥିଲା। ଏପରିକି ଭୁବନେଶ୍ୱରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଅନେକ ଦପ୍ତର ରହିଛି। ଏହା ବ୍ୟତୀତ ୬ଶହ ବ୍ୟାଙ୍କ୍ର ବ୍ରାଞ୍ଚ ମଧ୍ୟ ରହିଛି। ଲକ୍ଡାଉନର ଦ୍ୱିତୀୟ ଦିନରେ ସମସ୍ତ କର୍ମଚାରୀଙ୍କୁ ଯାଞ୍ଚ କରି ଛାଡିବାରେ ବିଭିନ୍ନ ସମସ୍ୟା ଉପୁଜିଥିଲା। ଏହାକୁ ଦୁଷ୍ଟିରେ ରଖି ଘରୋଇ ଗାଡ଼ିି ଚଳାଚଳ ଉପରେ ପୋଲିସ କଟକଣା ଲଗାଇଛି। ଏଣିକି ଗାଡ଼ି ଯାତାୟାତ ପାଇଁ ଥାନାରୁ ଆଣିବାକୁ ପଡିବ ପାସ୍। ଯେଉଁମାନଙ୍କୁ ଯିବାର ନିହାତି ଆବଶ୍ୟକ ସେମାନଙ୍କୁ ପାସ୍ ଦିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପାସ୍ ଆବେଦନ କରୁଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ସହ କେଉଁଠୁ କେଉଁଯାଏ ଏବଂ କେଉଁ ଗାଡ଼ିରେ ଯିବେ ତାହା ଉଲ୍ଲେଖ କରିବେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାସ୍ ଥାନାରୁୁ ଆଣିବା ପାଇଁ ନିୟମ ଜାରି କରାଯାଇଛି। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜର ସୁରକ୍ଷା ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ କହିଛନ୍ତି ପୋଲିସ କମିଶନର।
ପାସ୍ ପାଇଁ ଥାନାରେ ଅସମ୍ଭାଳ ଭିଡ଼
ପୋଲିସ କମିଶନର ପାସ୍ ପାଇଁ ନିର୍ଦ୍ଦେଶ ଦେବା ପରେ ଥାନାରେ ପାସ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଛି। ଏକାଧିକ ଲୋକ ପାସ୍ ପାଇବା ପାଇଁ ଥାନା ଆଗରେ ଧାଡ଼ିରେ ରହୁଥିବା ଦେଖିବାକୁ ମିଳୁଛି। କେଉଁ କାରଣ ପାଇଁ ପାସ୍ ନେବେ, କେଉଁଠାରୁ କେଉଁଠିକୁ ଯିବେ ତାହା ପଚାରି ପଚାରି ଥାନା ଅଧିକାରୀ ନୟାନ୍ତ ହୋଇପଡ଼ୁଛନ୍ତି। ବିଭିନ୍ନ ଥାନରେ କାର୍ଯ୍ୟରତ ଡିସିଓଙ୍କ ଚାରିପଟେ ଲୋକେ ଘେରିଯାଉଥିବାର ଦୃଶ୍ୟ ଦେଖବାକୁ ମିଳିଥିଲା। ଯାହାକି ଲୋକଙ୍କ ସଚେତନତାକୁ ନେଇ ପ୍ରଶ୍ନ ଉଠିଥିଲା। ତୁରନ୍ତ ପାସ୍ ପ୍ରଦାନ କରିବାକୁ ଅନେକ ପୋଲିସ ସହ ଯୁକ୍ତି ତର୍କ କରିବାକୁ ପଛାଉନଥିଲେ। ସନ୍ଧ୍ୟାସୁଦ୍ଧା ମଞ୍ଚେଶ୍ୱର, ଖଣ୍ଡଗିରି, ନୟାପଲ୍ଲୀ ପରି ଅନେକ ଥାନାରେ ପାସ୍ ସରିଯାଇଥିବା ସହ ଯାଞ୍ଚ ପରେ ଲୋକଙ୍କୁ ପାସ୍ ମଙ୍ଗଳବାର ଦିଆଯିବ ବୋଲି ପରାମର୍ଶ ଦିଆଯାଇଥିଲା। ଆବଶ୍ୟକତା ନ ଥାଇ ଥାନାରେ ଗହଳି କରୁଥିବା ଲୋକଙ୍କୁ ପୋଲିସ ବୁଝାସୁଝା କରି ପଠାଇଥିଲା। ମାତ୍ର ଏବେ ଗଣମାଧ୍ୟମକୁ ପାସ୍ ଦେବାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟକରୁଥିବା ଏକାଧିକ କର୍ମଚାରୀଙ୍କୁ କିଭଳି ପାସ୍ ଦେବ ତାହାକୁ ନେଇ ପୋଲିସ ଚିନ୍ତାରେ ପଡ଼ିଛି। କାରଣ ଏତେ ଗୁଡିକ ପାସ୍ ଦେବାରେ ସମସ୍ୟା ସୃଷ୍ଟିହେବ। ତେଣୁ ଯେଉଁମାନେ ଅଫିସ ଯାଉଛନ୍ତି ସେମାନେ ଆଇକାର୍ଡ ଦେଖାଇ ଯାତାୟାତ କରିପାରିବେ।