ବିନା ବିରତିରେ ୧୯ ଘଣ୍ଟା ଉଡି ରେକର୍ଡ କଲା ଯାତ୍ରୀବାହି ବିମାନ

ସିଡ୍‌ନୀ,୨୧।୧୦: ବିଶ୍ୱରେ ପ୍ରଥମ ଥର ଲାଗି ବିନା ବିରତିରେ ଏକ ଯାତ୍ରୀବାହି ବିମାନ ୧୯ ଘଣ୍ଟା ୧୬ ମିନିଟ୍‌ ଉଡି ରେକର୍ଡ ସୃଷ୍ଟି କରିଛି। ବିମାନଟି ଆମେରିକାର ନ୍ୟୁୟର୍କରୁ ଅଷ୍ଟ୍ରେଲିଆର ସିଡ୍‌ନୀ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ଯାତ୍ରୀବାହି ବିମାନ ଭାବେ ଏହା ବର୍ତ୍ତମାନର ସବୁଠାରୁ ଲମ୍ବା ଉଡାଣ ବୋଲି କୁହାଯାଉଛି। କ୍ୱାଣ୍ଟସ ଏୟାର ଲାଇନ୍ସର କ୍ୟୁଏଫ୍‌ ୭୮୭-୯ ଚଳିତ ବର୍ଷ ଆରମ୍ଭରେ ୩ଟି ଦୀର୍ଘ ଦୂରତା ଉଡାଣ ଅତିକ୍ରମ କରିବାର ଯୋଜନା କରିଥିଲା। ଆଉ ଏହି କ୍ରମରେ ପ୍ରଥମଥର ଲାଗି କ୍ୱାଣ୍ଟସ ବିମାନଟି ନ୍ୟୁୟର୍କରୁ ସିଡ୍‌ନୀ ଯାତ୍ରା କରିଛି। ଏହି ବୋଇଂ ବିମାନ ୭୮୭-୯ରେ ମାତ୍ର ୪୯ ଜଣ ଯାତ୍ରା କରିଥିଲେ କାରଣ ଥିଲା ବିମାନରେ ଯେତେକମ୍‌ ଓଜନ ରହିପାରିବ ଓ ଦ୍ୱିତୀୟ ଥର ଇନ୍ଧନ ନ ନେଇ ଏହା ୧୬ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିପାରିବ। କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି କି ଆସନ୍ତା ମାସରେ ପୁଣି ଏକ ଲମ୍ବା ଦୂରତା ବିଶିଷ୍ଟ ଯାତ୍ରା କରାଯିବାକୁ ଯୋଜନା କରାଯାଉଛି। ଏହାସହ ୨୦୧୯ ଶେଷ ସୁଦ୍ଧା କେଉଁ କେଉଁ ଲମ୍ବା ଦୂରତା ମଧ୍ୟରେ କ୍ୱାଣ୍ଟସ ଚାଲିପାରିବ ତା’ର ଯୋଜନା କରାଯିବ। ଯଦି ଏହା ସଫଳ ହେଲା ତେବେ ୨୦୨୨-୨୩ ବେଳକୁ ଏହାକୁ ନିୟମିତ ଯାତ୍ରା କରାଯିବାର ଯୋଜନା ରହିଛି।

Share