କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ପୀଠରେ ଭକ୍ତ ଶୂନ୍ୟ ହୋଇ ପଡିଛି। ମା’ଙ୍କ ଚଇତି ପର୍ବ ଚାଲିଥିବା ବେଳେ ସୋମବାର ପଣା ସଂକ୍ରାନ୍ତିରେ ମା’ଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ପ୍ରତ୍ୟେକ ବର୍ଷ ଏହି ଦିନରେ ଲକ୍ଷାଧିକ ଭକ୍ତଙ୍କ ଭିଡ ରହୁଥିବା ବେଳେ ସୋମବାର କେବଳ ଟ୍ରଷ୍ଟ ବୋର୍ଡ, ପ୍ରଶାସନିକ ଅଧିକାରୀ, ସେବାୟତ ଓ ପୂଜକଙ୍କ ଉପସ୍ଥିତିରେ ଏହି ପୂଜା ହୋଇଥିଲା। ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏଭଳି ପରିବେଶ ଦେଖିବାକୁ ମିଳିଥିଲା। କରୋନା ପାଇଁ ମନ୍ଦିର ପରିସରକୁ ଲକ୍ ଡାଉନ୍ କରାଯାଇଛି। ମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ମା’ଙ୍କ ପ୍ରସିଦ୍ଧ ଚଇତି ପର୍ବ ଏପ୍ରିଲ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲେ। ତେବେ ଏହା ମଧ୍ୟରେ ପଣା ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପଡୁଥିବାରୁ ବିଶେଷ କରି ପଣା ସଂକ୍ରାନ୍ତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ତେବେ ଚଳିତ ବର୍ଷ ତାରିଣୀଙ୍କ ପୀଠ ଭକ୍ତଶୂନ୍ୟ ହୋଇ ପଡିଛି।
ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ, ଏହା ହେଉଛି ମା’ଙ୍କ ସବୁଠାରୁ ବଡ ପର୍ବ।ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତ ଏହି ଦିନ ଆସି ମା’ଙ୍କ ଦର୍ଶନ କରିଥାନ୍ତି ଏବଂ ଏହି ଦିନରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କେବଳ ସେବାୟତ ଓ ନିତୀକାନ୍ତି କରୁଥିବା ପୂଜକ ମାନେ ହିଁ ସାମିଲ ହୋଇଛନ୍ତି। ସୋମବାର ଭୋର୍ରୁ ମା’ଙ୍କ ପାରମ୍ପାରିକ ପୂଜାର୍ଚ୍ଚନା ଓ ବେଶଭୂଷା କରାଯାଇଛି। ବଡସିଂହାର ବେଶ ଓ ସୁନା ବେଶ ଅନୁଷ୍ଠିତ ହୋଇଛି। ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ବିଶେଷ ପୂଜା ଭୋର ୬ ଟା ସୁଦ୍ଧା ସମସ୍ତ ପୂଜା ଶେଷ ହୋଇଛି। ଭକ୍ତ ମାନେ ଏଠାକୁ ନ ଆସି ଘରେ ରହି ମା’ଙ୍କୁ ପ୍ରାର୍ଥନା କରନ୍ତୁ। କିପରି ବିଶ୍ୱ ଏହି ମହାମାରୀ ଠାରୁ ଉଦ୍ଧାର ପାଇବ ସେ ନେଇ ମା’ଙ୍କୁ ପ୍ରାର୍ଥନା କରନ୍ତୁ।