ବିନା ଭକ୍ତରେ ଶେଷ ହେଲା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ଖାଁ ଖାଁ ଦେବୀପୀଠ, ନୀତି ସମ୍ପନ୍ନ କଲେ ସେବାୟତ

କାକଟପୁର,୭।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ସମସ୍ତ ଦେବାଦେବୀ ପୀଠରେ ଏକରକମ ତାଲା ପଡ଼ିଛି। କେବଳ ସେବାୟତ ପୂଜାପଣ୍ଡାଙ୍କୁ ଛାଡ଼ିଦେଲେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି।  ମା’ ମଙ୍ଗଳାଙ୍କ ପୀଠରେ ୪ ପାଳି ଚୈତ୍ର ଯାତ୍ରା ବିନା ଭକ୍ତରେ ଶେଷ ହୋଇଥିଲା ବେଳେ ମଙ୍ଗଳବାର ଥିଲା ମାଙ୍କ ପ୍ରସିଦ୍ଧ ଝାମୁଯାତ୍ରା। କାହିଁ କେଉଁକାଳୁ ଏହି ଦିନ ମା’ଙ୍କ ପୀଠକୁ ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବା ବେଳେ ପ୍ରଥମ ଥର ପାଇଁ ଶ୍ରଦ୍ଧାଳୁମାନଙ୍କ ବିନା ଗହଳି ଚହଳିରେ ଏହି ଝାମୁଯାତ୍ରା ଶେଷ ହୋଇଛି। ଏହାକୁ ନେଇ ଭକ୍ତଙ୍କ ମହଲରେ ନାନା ଆଶଙ୍କା ଦେଖାଦେଇଛି।

ପରମ୍ପରାନୁଯାୟୀ, ମା’ ମଙ୍ଗଳାଙ୍କ ଝାମୁଯାତ୍ରାକୁ ସେବକମାନେ ପାଳନ କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ମନ୍ଦିରରେ ଭକ୍ତ ସମାଗମ ଉପରେ ପୁରୀ ଜିଲା ପ୍ରଶାସନର କଟକଣା ବଳବତ୍ତର ରହିଛି। ପ୍ରତ୍ୟେକ ବର୍ଷ ଚୈତ୍ର ଶେଷପାଳି ଝାମୁଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁ ମଙ୍ଗଳା ମନ୍ଦିର ଖାଁ ଖାଁ ପଡିଛି। ସକାଳୁ ସକାଳୁ ଆଳତୀ ପରେ ସ୍ନାନ ମାଜଣା କରାଇ ମା’ଙ୍କୁ ସେବକମାନେ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରିଥିଲେ। ପରେ ପରେ ମାଙ୍କର ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଥିଲା। ମଧ୍ୟାହ୍ନ ସମୟରେ ପାରମ୍ପରିକ ପାଟୁଆ ନୃତ୍ୟ ହେବା ସହ ପ୍ରସିଦ୍ଧ ଝାମୁଯାତ୍ରା ପରମ୍ପରା ରଖିବା ପାଇଁ ପାଳନ ସ୍ବରୂପ ଘଣ୍ଟ ପାଟୁଆ ନିଁଆରେ ପ୍ରବେଶ କରିଥିଲେ। ତାପରେ ମାଙ୍କର ଅବଶିଷ୍ଟ ନୀତି ସମାପନ ପରେ ମା’ଙ୍କ ପହୂଡ ପଡିଥିଲା। ସନ୍ଧ୍ୟା ଆଳତୀ ପରେ ମା’ଙ୍କର ପୁନଃସ୍ନାନ କରାଯାଇ ବେଶ କରାଯାଇଥିଲା। ରାତ୍ରୀରେ କାଳିକା ନୃତ୍ୟ ସମାପନ ପରେ ମାଙ୍କର ରାତ୍ରୀନୀତି ସମାପନ କରାଯାଇ ପହୂଡ କରାଯାଇଥିଲା।

Share