ବିନା ଭିଜାରେ ବର୍ଷ ସାରା କରତାରପୁର କରିଡର ଯାତ୍ରା କରିପାରିବେ ଯାତ୍ରୀ

ଇସ୍‌ଲାମାବାଦ,୪।୯: କରତାରପୁର କରିଡର ନେଇ ଭାରତ ଓ ପାକିସ୍ତାନ ଅଧିକାରୀଙ୍କ ମଧ୍ୟରେ ତୃତୀୟ ସ୍ତର ଆଲୋଚନା ଶେଷ ହୋଇଛି। ବୁଧବାର ଅଟାରୀ ବର୍ଡରରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଏନେଇ ଆଲାଚନା ହୋଇଥିଲା। ଆଲୋଚନା ଅନୁଯାୟୀ ଏବେ ଭାରତର ଶିଖ୍‌ ଶ୍ରଦ୍ଧାଳୁ ବିନା ଭିଜାରେ ବର୍ଷସାରା କରତାରପୁର ସାହିବ ଦର୍ଶନ କରିପାରିବେ। ଏହାଦ୍ୱାରା ପ୍ରତିଦିନ ୫ହଜାର ଶ୍ରଦ୍ଧାଳୁ ଦର୍ଶନ କରିବାର ଯୋଜନା ରହିଛି। ତେବେ ଏହି କରିଡର ଜରିଆରେ ଭାରତର ସେହି ଲୋକମାନେ ଦର୍ଶନ କରିପାରିବେ, ଯେଉଁମାନଙ୍କ ପାଖରେ ଓଭରସିଜ୍‌ ସିଟିଜେନ୍‌ଶିପ୍‌ ଅଫ୍‌ ଇଣ୍ଡିଆ(ଓସିଆଇ)ର କାର୍ଡ ରହିଥିବ। ଏଥିସହ ଦୁଇ ଦେଶ ଆପାତ୍ତକାଳୀନ ପରିସ୍ଥିତି ପାଇଁ ରାଜି ହୋଇଛନ୍ତି। ମେଡିକାଲ ଇମରଜେନ୍ସି ଥିବା ବେଳେ ବିଏସ୍‌ଏଫ୍‌ ଓ ପାକିସ୍ତାନ ରେଞ୍ଜର୍ସ ସିଧାସଳଖ କଥାବାର୍ତ୍ତା କରିପାରିବେ ବୋଲି ଏଥିରେ ଆଲୋଚନା ହୋଇଛି। ତେବେ ଏହି ଆଲାଚନାରେ ଏବେ ବି ୨ଟି ପ୍ରସଙ୍ଗ ଉପରେ ଦୁଇ ଦେଶ ମଧ୍ୟରେ ସହମତି ହୋଇପାରି ନ ଥିବା ଜଣାପଡ଼ିଛି।

Share