ବିନା ମଷ୍ଟର ରୋଲ୍‌ରେ ଡ୍ରେନ୍‌ କାମ

ପରଜଙ୍ଗ, ୨୪।୧(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ପରେ ଏବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ଗନ୍ଧ ବାରିହୋଇପଡ଼ିଛି। ଫାଇଲ ଖୋଲିନି, ସୂଚନା ଫଳକ ନାହିଁ। ବିନା ମଷ୍ଟର ରୋଲ୍‌ରେ ହେଉଛି କାମ। ପଥରଖମ୍ବ ପଞ୍ଚାୟତ କାମର୍ଦ୍ଦା ନୀଳାପଶି ସାହିରେ ଚାଲିଥିବା ଡ୍ରେନ୍‌ ନିର୍ମାଣରେ ଏପରି ଅନିୟମିତତା ହେଉଥିବା ଅଞ୍ଚଳବାସୀ ବ୍ଲକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ନୀଳାପଶି ସାହିରେ ଡ୍ରେନ୍‌ ନିର୍ମାଣ ଲାଗି ୩ଲକ୍ଷ ଟଙ୍କା ଏଷ୍ଟିମେଟ୍‌ ହୋଇଛି। ହେଲେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ କାମ ଚାଲିଛି। ବିନା ମଷ୍ଟର ରୋଲ୍‌ରେ କାମ କରିବା ନିୟମ ନ ଥିବାବେଳେ ଠିକାଦାର କାମ କରୁଛନ୍ତି। ଗ୍ରାମବାସୀଙ୍କ କହିବା କଥା, କାମ ହେଉଥିବା ସ୍ଥାନରେ ସୂଚନା ଫଳକ ଲେଖାଯାଇନାହିଁ। ନିର୍ମାଣ ସାମଗ୍ରୀ ନିୟମ ଅନୁଯାୟୀ ବ୍ୟବହାର କରାଯାଉନାହିଁ। ଚିପ୍‌ସ ସ୍ଥାନରେ ମେଟାଲ ବ୍ୟବହାର ହେଉଛି। ଡ୍ରେନ୍‌ ମଧ୍ୟ ଠିକ୍‌ ଭାବେ ନିର୍ମାଣ କରାଯାଉନାହିଁ। ଏହାକୁ ନେଇ ଅଭିଯୋଗ ହେବା ପରେ କନିଷ୍ଠ ଯନ୍ତ୍ରୀ ଗାୟତ୍ରୀ ସାହୁ, ଜିଆରଏସ୍‌ କାଳିନ୍ଦୀ ପରିଡ଼ା ପହଞ୍ଚତ୍ ତଦନ୍ତ କରିଛନ୍ତି। ବିନା ମଷ୍ଟର ରୋଲ୍‌ରେ କାମ ହେଉଥିବା କଥା ଅଧିକାରୀମାନେ ଜାଣିଛନ୍ତି। ତଥାପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଫାଇଲ ନ ଖୋଲି କାମ ହେଉଥିବା ଅଭିଯୋଗକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜନ ସାହୁ, ଜେଇ ଗାୟତ୍ରୀ ସାହୁ ସ୍ବୀକାର କରିଛନ୍ତି। ଏଥିସହ କାମ ବନ୍ଦ ରଖିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଠିକାଦାର ମନଇଚ୍ଛା କାମ କରୁଥିବା ଦୁଇ ଅଧିକାରୀ କହିଛନ୍ତି। ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ବିନା ମଷ୍ଟର ରୋଲ୍‌ରେ କାମ ହେଉଥିବାରୁ ଠିକାଦାରଙ୍କ କୌଣସି ବିଲ୍‌ କରାଯିବନାହିଁ। ଏ ସମ୍ପର୍କରେ ଅବଗତ ଥାଇ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ କାମ ଦେଖିବାକୁ ଯାଇଥିଲେ। ସେଥିଲାଗି ଉଭୟଙ୍କୁ ତାଗିଦ୍‌ କରାଯାଇଛି। ଏପରି ତ୍ରୁଟି ଆଗକୁ ଯେପରି ନ ହୁଏ ସେଥିଲାଗି ସଚେତନ ହେବାକୁ କୁହାଯାଇଛି।

Share