ବିନା ମାସ୍କରେ ଘରୁ ବାହାରିବାରୁ ୩୨ଜଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣରେ ୭୨୦ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୧୨ଜଣଙ୍କର ମୃତ୍ୟୁ ଘଟିସାରିଛି। ସେଥିମଧ୍ୟରୁ ୨୦ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। କରୋନା ଭୟାବହତାକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ସହ ଘରୁ ନ ବାହାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏତଦ୍‌ ବ୍ୟତୀତ ଜରୁରୀ ସାମଗ୍ରୀ ଆଣିବାକୁ ବାହାରକୁ ଗଲେ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଶୁକ୍ରବାର କେତେକ ଲୋକ ଏହି ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଉତ୍ତର- ଦିଲ୍ଲୀ ପଶ୍ଚିମ ଅଞ୍ଚଳରେ ଘରୁ ବାହାରିବା ସମୟରେ ମାସ୍କ ନ ପିନ୍ଧିଥିବାରୁ ୩୨ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି। ସୂଚନା ମୁତାବକ ଏହି ମହାମାରୀକୁ ବ୍ୟାପିବାରୁ ରୋକିବା ପାଇଁ ଦିଲ୍ଲୀ ସରକାର କିଛି ସ୍ଥାନକୁ ହଟ୍‌ସ୍ପଟ ଅଞ୍ଚଳ ଘୋଷଣା କରିଛନ୍ତି। ଏହି ଅଞ୍ଚଳଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଛି।

Share