ବିନା ମାସ୍କରେ ଡାକ୍ତରଖାନାରେ ରୋଗୀ, ସମ୍ପର୍କୀୟ

ଲୋଇସିଂହା,୧୯ା୪(ଡି.ଏନ୍‌.ଏ.): ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ବିଭାଗରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବିନା ମାସ୍କରେ ରହୁଥିବା ରବିବାର ସକାଳେ ଦେଖିବାକୁ ମିଳିଛି। ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି ଗାଁର ଗୋଟିଏ ପରିବାରର ୨ ଶିଶୁୁ ସମେତ ୫ ମହିଳା ମହୁମାଛି ଆକ୍ରମଣରେ ଶିକାର ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ମହୁମାଛି ଆକ୍ରମଣରେ ଆହତଙ୍କୁ ଚିକିତ୍ସା କରୁଥିବା ନର୍ସମାନେ ମଧ୍ୟ ମାକ୍ସ ପରିଧାନ କରି ନ ଥିବା ଦେଖାଯାଇଥିଲା। ଜନୈକ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଘରେ ଛାଡ଼ି ଆସିଥିବା କହିଥିଲେ। କରୋନା ଭୂତାଣୁ ଭୟାବହତାକୁ ନେଇ ସବୁଠି ଭୟର ବାତାବରଣ ଖେଳିଯାଇଛି। ସରକାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇ ଲୋକଙ୍କୁ ସଚେତନ କରୁଥିବା କୁହାଯାଇଛି। ହେଲେ ଏଠି ସ୍ବାସ୍ଥ୍ୟ ବିଭାଗ ସଚେତନ ନ ଥିବା ପରିଲକ୍ଷିତ ହୋଇଥିଲା। ଏଠାକୁ ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଲୋକେ ଆସୁଥିବାରୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ଦେଖାଦେଇଛି। ଏ ନେଇ ପିଏଚ୍‌ଓ ରମେଶ ସାହୁଙ୍କୁ ପଚାରିବାରୁ ରୋଗୀ ଓ ପରିଜନଙ୍କ ପାଇଁ ମାସ୍କ ଯୋଗାଣ ବ୍ୟବସ୍ଥା ନାହିଁ। କେବଳ ଷ୍ଟାଫ୍‌ଙ୍କୁ ଦିଆଯାଇଛି। କେଉଁ ପରିସ୍ଥିତିରେ ସେମାନେ ପନ୍ଧି ନ ଥିଲେ ବୁଝୁଛି ବୋଲି କହିଥିଲେ। କୋଭିଡ୍‌ ୧୯ ପାଇଁ ୪ ଜଣ ନର୍ସ ଓ ଜଣେ ଫାର୍ମାସିଷ୍ଟ ଶନିବାରଠାରୁ ଯୋଗ ଦେଇଛନ୍ତି। ସେମାନେ ଏନେଇ ଲୋକଙ୍କୁ ସଚେତନ କରିବେ ବୋଲି କହିଛନ୍ତି।

Share