ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ ମୃତକଙ୍କ ସଂଖ୍ୟା ୫୧ ହଜାର ଟପିଛି। ସେହିପରି ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଭିଏତ୍‌ନାମ୍‌ ବିନା ଲକ୍‌ଡାଉନ୍‌ରେ କରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୨୬୮ ଜଣଙ୍କ କରୋନା ସଂମ୍ରିତଙ୍କୁ ଚିହ୍ନଟ କରାଯାଇଛି। ତେବେ କୌଣସି ସଂକ୍ରମିତଙ୍କ ମୃତ୍ୟୁ ଏଠାରେ ଘଟି ନାହିଁ। ଭିଏତ୍‌ନାମ୍‌ର ସୀମା ଚାଇନା ସହିତ ଲାଗିଛି। ଏହାର ଜନସଂଖ୍ୟା ୯ କୋଟି ୭୦ ଲକ୍ଷ। ଜାନୁୟାରୀର ଶେଷ ଆଡ଼କୁ ଭିଏତନାମ୍‌ରେ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ସରକାରଙ୍କ ପକ୍ଷରୁ ଦେଶର ସମସ୍ତ ସୀମାକୁ ସିଲ୍‌ କରାଯାଇଥିଲା। ବିଦେଶରୁ ଆସୁଥିବା ସମସ୍ତା ଯାତ୍ରୀଙ୍କ ସ୍କ୍ରିନ୍‌ିଂ କରାଯାଇ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାର୍ଚ୍ଚ ପରେ ଦେଶରେ ସମସ୍ତ ବିଦେଶୀଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସରକାରଙ୍କ ପକ୍ଷରୁ କଣ୍ଟାକ୍ଟ୍‌ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦେଶରେ କମ୍‌ ଦାମର ଟେଷ୍ଟିଂ କିଟ୍‌ ପ୍ରସ୍ତୁତ ହେବାରୁ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ସହଜରେ ସମ୍ପନ୍ନ ହୋଇଥିବା କୁହାଯାଉଛି। ସଂକ୍ରମିତଙ୍କୁ ଆଇସୋଲେଶନ ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇ ଘର ଘର ବୁଲି ସ୍କ୍ରିନିଂ ଆରମ୍ଭ ହୋଇଥିଲା। ଲୋକଙ୍କ ମଧ୍ୟରେ କରୋନା ନେଇ ସଚେତନତା ସୃଷ୍ଟି ଲାଗି ଛୋଟ ଛୋଟ ଭିଡ଼ିଓ ଜାତୀୟ ଟିଭିରେ ପ୍ରସାରଣ କରାଯିବା ସହିତ ଏସମ୍ପର୍କିତ ପୋଷ୍ଟରମାନ କାନ୍ଥବାଡ଼ରେ ଲଗାଯାଇଥିଲା। ଏହାର ସୁଫଳ ମିଳିଥିଲା। ଫଳରେ ଏଠାରେ କରୋନା ମହାମାରୀ ରୂପ ନେଇପାରି ନ ଥିବା କୁହାଯାଉଛି।

Share