ବିନା ଲକ୍‌ ଡାଉନ୍‌ରେ କରୋନା ସହିତ ଲଢୁଛି ଦକ୍ଷିଣ କୋରିଆ

ସିଓଲ୍‌,୨୫।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଦକ୍ଷିଣ କୋରିଆ ବିନା ଲକ୍‌ ଡାଉନ୍‌ରେ ଲଢ଼େଇ ଜାରି ରଖିଛି। ତେବେ ଦକ୍ଷିଣ କୋରିଆର ଚିକିତ୍ସା ପ୍ରଣାଳୀ ଅନ୍ୟ ଦେଶ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ କି ନାହିଁ ସେନେଇ ଠିକ ଭାବେ କୁହାଯାଇ ପାରୁ ନାହିଁ। ଇତିମଧ୍ୟରେ ଏଠାରେ ୨ଲକ୍ଷ ୫୦ ହଜାର ନମୁନା ଯାଞ୍ଚ୍‌ କରାଯାଇଛି। କରୋନା ସନ୍ଦିଗ୍ଧ କେଉଁମାନଙ୍କ ସମ୍ପର୍କରେ ଆସିଛନ୍ତି ତାହାର ରିପୋର୍ଟ କ୍ରେଡ଼ିଟ୍‌ କାର୍ଡ଼, ସିସିଟିଭି କ୍ୟାମେରା ଏବଂ ମୋବାଇଲ୍‌ ଫୋନ୍‌ ଟ୍ରାକିଙ୍ଗ୍‌ରୁ ସଂଗ୍ରହ କରାଯାଇ ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ପ୍ରକ୍ରିୟା ଦକ୍ଷିଣ କୋରିଆ କରିଛି। ଫଳରେ ଏଠାରେ ବିନା ଲକ୍‌ ଡାଉନ୍‌ରେ କରୋନା ସହିତ ମୁକାବିଲା କରିବା ସମ୍ଭବ ହୋଇପାରୁଛି ବୋଲି ସ୍ଥାନୀୟ ରୋଗ ନିୟନ୍ତ୍ରଣ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କେନ୍ଦ୍ରର ମୁଖ୍ୟ ଜିଓଙ୍ଗ୍‌ ଇୟୁନ୍‌ କେୟୋଙ୍ଗ୍‌ ସୂଚନା ଦେଇଛନ୍ତି। ଆମେରିକାର କରୋନା ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଉଛି। ସେହିପରି ଜାପାନ, ଚାଇନା ସମେତ ଅନ୍ୟ ଦେଶରେ ଲକ୍‌ ଡାଉନ୍‌ ଦ୍ୱାରା ସଂକ୍ରମଣ ରୋକିବାର ଉଦ୍ୟମ ହେଉଛି। ଏପରିସ୍ଥଳେ ଦକ୍ଷିଣ କୋରିଆ ଦ୍ୱାରା ଗ୍ରହଣ କରାଯାଇଥିବା ପଦ୍ଧତି ଅନ୍ୟ କୌଣସି ଦେଶ କ୍ଷେତ୍ରରେ ସଫଳ ହେବାର ଆଶା କମ୍‌ ରହିଥିବା କେୟୋଙ୍ଗ୍‌ କହିଛନ୍ତି।

Share