Categories: ମେଟ୍ରୋ

ବିନା ସୁରକ୍ଷାରେ ଚାଲିଛି ମରାମତି

ଭୁବନେଶ୍ୱର,୨୪।୭(ବ୍ୟୁରୋ) – ବାତ୍ୟା ଫନୀରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ବହୁ କ୍ଷୟକ୍ଷତି ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟକରି ନୂଆ ରୂପ ନେଇଥିଲା ଷ୍ଟେଶନ ପରିସର। ଏବେ ଫୁଟ ଓଭରବ୍ରିଜ ନିର୍ମାଣ ଓ ପ୍ଲାଟଫର୍ମର କେତେକ ଟିଣଗୁଡିକ ମରାମତି ଚାଲିଛି। କିନ୍ତୁ ମରାମତି କରୁଥିବା କର୍ମଚାରୀମାନେ ବିପଜ୍ଜନକ ଭାବେ କାର୍ଯ୍ୟ କରୁଥିବାର ମଙ୍ଗଳବାର ଦେଖିବାକୁ ମିଳିଛି। ଗତ୧୫ ଦିନ ହେବ ବିଭିନ୍ନ ପ୍ଲାଟଫର୍ମଗୁଡିକର ଟିଣ ଛାତ ମରାମତି ଚାଲିଛି। ମଙ୍ଗଳବାର ସାଢ଼େ ୧୨ଟା ସମୟରେ ପ୍ଲାଟଫର୍ମ ନଂ.୪ରେ ଧାରଣା ଆଡକୁ ଢଳି ରହିଥିବା ଟିଣଗୁଡିକୁ ଖୋଲାଯାଉଥିଲା। କାମରେ ଲାଗିଥିବା ୪ଜଣ କର୍ମଚାରୀ କୌଣସି ସୁରକ୍ଷା ଉପକରଣ ବିନା କାମ କରୁଥିଲେ। ପିନ୍ଧିବା ତ ଦୂରର କଥା ଏପରିକି ପାଖରେ ମଧ୍ୟ କିଛି ସୁରକ୍ଷା ସାମଗ୍ରୀ ରଖି ନ ଥିଲେ। ନା ମୁଣ୍ଡରେ ହେଲମେଟ, ନା ପାଦରେ ଜୋତା ଥିଲା କି ଦେହରେ ଜ୍ୟାକେଟ ଖଣ୍ଡିଏ ବି ପଡ଼ି ନ ଥିଲା। ଏଥିସହ ସେଠାରେ ରେଳ ବିଭାଗର କୌଣସି ଯନ୍ତ୍ରୀ କି ମରାମତି ଠିକା ନେଇଥିବା ସଂସ୍ଥାର କେହି ସୁପରଭାଇଜର ମଧ୍ୟ ଉପସ୍ଥିତ ନ ଥିଲେ। ଯେଉଁଭଳି ଭାବେ ଛାତ ଉପରେ ଚଢ଼ି ଗୋଟିଏ ହାତରେ ଲୁହାକୁ ଧରି ମରାମତି କରୁଥିଲେ ଦେଖିଲେ ଡର ଲାଗୁଥିଲା। ଏ ନେଇ କାମ କରୁଥିବା ଅକ୍ଷୟ କୁମାର ମଙ୍ଗରାଜଙ୍କୁ ପଚାରିବାରୁ ୧୫ଦିନ ଧରି କାମ ଚାଲିଥିବାବେଳେ କିଛି ସୁରକ୍ଷା ଉପକରଣ ମିଳିନି ବୋଲି କହିଥିଲେ। କେବଳ ଏତିକି ନୁହେଁ ପ୍ଲାଟଫର୍ମ ନଂ.୬ରେ ମଧ୍ୟ ସମାବସ୍ଥା ଦେଖିବାକୁ ମିଳିଛି। ଅନ୍ୟପଟେ ନୂଆ ତିଆରି ଚାଲିଥିବା ଆଉ ଏକ ଫୁଟ ଓଭରବ୍ରିଜ ନିକଟରେ ଚାଲିଥିଲା ଲିଫ୍ଟଘର ନିର୍ମାଣ କାର୍ଯ୍ୟ। ସେଠାରେ ୩ଜଣ ଶ୍ରମିକ ଭାରା ଉପରେ ଚଢ଼ି ରଡ ଓ୍ବାଇଡିଙ୍ଗ କାମ କରୁଥିଲେ। ସେମାନଙ୍କ ନିକଟରେ ବି କୌଣସି ସୁରକ୍ଷା ସରଞ୍ଜାମ ନ ଥିଲା। ରଡ ଓ୍ବାଇଡିଙ୍ଗ କରୁଥିବା ସୁଦାମ ମାରାଣ୍ଡି କୁହନ୍ତି, ଠିକାଦାର ସଂସ୍ଥା ପକ୍ଷରୁ କୌଣସି ସୁରକ୍ଷା ଉପକରଣ ଯୋଗାଯାଇ ନାହିଁ। ୧୫ଦିନ ହେବ ସେଭଳି କାମ କରିଚାଲିଛୁ।
ଏ ସମ୍ପର୍କରେ ଷ୍ଟେଶନ ନିର୍ଦ୍ଦେଶକ ପଚାରିବାରୁ ନିର୍ମାଣ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହ କଥା ହେବାକୁ ସେ କହିଥିଲେ। କିନ୍ତୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜ କୁମାର ପାତ୍ର ଏହାକୁ ହାଲୁକା କାମ ଓ ମାଇନର ଇସ୍ୟୁ କହି ସଙ୍ଗେସଙ୍ଗେ ଫୋନ କାଟିଦେଇଥିଲେ। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପୁଣି ଷ୍ଟେଶନ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଠିକାଦାରଙ୍କ ସୁରକ୍ଷା ଦିଗ ପ୍ରତି ନଜର ଦେବାକୁ କଡା ତାଗିଦ୍‌ କରାଯିବ।

Share