ବିନା ହେଲ୍‌ମେଟରେ ଚାଲିବନି ବାଇକ୍

ସଜନାଗଡ଼, ୧।୧(ଡି.ଏନ.ଏ.)-ବିନା ହେଲ୍‌ମେଟରେ ବାଇକ୍‌ ଚାଲିବନି କି ଚୋରି ମଧ୍ୟ ହୋଇପାରିବନି। ଏପରି ଏକ ଅଭିନବ ଉପାୟ ଅବଲମ୍ବନ କରି ନୀଳଗିରି ବଜାରରେ ନନ୍ଦିଘୋଷ ପ୍ରୋଜେକ୍ଟର ମାଲିକ ଯୋଗେଶ୍ୱର ମହାନ୍ତି ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସ୍କୁଲରେ ପଢୁଥିବା ବେଳେ ଯୋଗେଶ୍ୱରଙ୍କ ବିଜ୍ଞାନ ପ୍ରତି ବିଶେଷ ଆଗ୍ରହ ଥିଲା। ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ। ମାତ୍ର ୭ଶହ ଟଙ୍କା ବିନିଯୋଗ କରି ଯୋଗେଶ୍ୱର ଏକ ନୂତନ ହେଲମେଟ୍‌ ତିଆରି କରିଛନ୍ତି। ଜଣେ ବାଇକ ଆରୋହୀ ଏହି ହେଲମେଟ ନ ପିନ୍ଧିଲେ ବାଇକ୍‌ ଷ୍ଟାର୍ଟ ହେବ ନାହିଁ କି ଚୋର ଚୋରି କରି ନେଇଗଲେ ମାତ୍ର ୩୦୦ ମିଟର ଦୂରତାରେ ବାଇକ୍‌ ଆପେ ଆପେ ଷ୍ଟାର୍ଟ ବନ୍ଦ ହୋଇଯିବ। ଏହି ନୂତନ ହେଲମେଟ୍‌ରେ ଗୋଟିଏ ସେନ୍‌ସର ଲାଗିଥିବା ବେଳେ ଅନ୍ୟଟି ବାଇକ୍‌ରେ ସଂଯୋଗ ହୋଇଛି। ସେହିଭଳି ହେଲ୍‌ମେଟ୍‌ରେ ଏକ ସକେଟ ଲାଗିଥିବା ବେଳେ ବାଇକ୍‌ରେ ଅନୁରୂପ ଭାବେ ଏକ ସକେଟ୍‌ ଲାଗିଛି। ଏହାର ବ୍ୟବହାର କରି ଅନେକ ଚୋରି ଓ ଦୁର୍ଘଟଣା ରୋକାଯାଇପାରିବ ବୋଲି ସେ କହିଛନ୍ତି।