Categories: ଖେଳ

ବିନୋଦଙ୍କ ପ୍ରତି ଆକ୍ରୋଶ ନ ଥିଲା: ଇଦୁଲ୍‌ଜୀ

ମୁମ୍ବାଇ,୨୨ା୧୦ (ପି.ଟି.)-ଦୀର୍ଘ ୩୩ମାସ ଧରି ଭାରତୀୟ କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିଥିବା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)ର ଅନ୍ତିମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ସିଓଏର ଅନ୍ୟତମ ସଦସ୍ୟା ଡାଏନା ଇଦୁଲ୍‌ଜୀ କହିଛନ୍ତି, କାର୍ଯ୍ୟକାଳ ସମୟରେ କମିଟିର ମୁଖ୍ୟ ବିନୋଦ ରାୟଙ୍କ ସହିତ ହୁଏତ ତାଙ୍କର ଗୁରୁତର ମତଭେଦ ହୋଇଛି, ହେଲେ ତାଙ୍କ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ନ ଥିଲା। ସିଏଓ ଏକ ଗଣତାନ୍ତ୍ରିିକ ସଙ୍ଗଠନ ହୋଇଥିବାରୁ ଏଥିରେ ସ୍ବାଧୀନ ମତ ଉପସ୍ଥାପନ କରିବାର ଅଧିକାର ରହିଛି। ବୁଧବାର ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବିଧିବଦ୍ଧ ଭାବେ ବିସିସିଆଇର ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ସିଇଓର କାର୍ଯ୍ୟକାଳ ଶେଷ ହେବ। ପୂର୍ବତନ ଭାରତୀୟ ଅଧିନାୟିକା ଇଦୁଲ୍‌ଜୀ କହିଛନ୍ତି, ସିଓଏରେ ମୋର ଅଭିଜ୍ଞତା ଖୁବ୍‌ ଭଲ ଥିଲା। ଏଥିରେ ଏତେ ଦିନ ଧରି ମୋତେ କାର୍ଯ୍ୟକରିବାକୁ ପଡ଼ିବ ଏହା ମୋ କଳ୍ପନା ବାହାରେ ଥିଲା। ବୁଧବାର ନବ ନିର୍ବାଚିତ କର୍ମକର୍ତ୍ତାମାନେ ବିସିସିଆଇ ଦାୟିତ୍ୱ ଗ୍ରହଣ କରିବେ। କେତେକ ପ୍ରମୁଖ ପ୍ରସଙ୍ଗ ନେଇ ଇଦୁଲ୍‌ଜୀ ଏବଂ ପୂର୍ବତନ ସିଏଜି ରୟଙ୍କ ମଧ୍ୟରେ ଖୋଲାଖୋଲି ମତଭେବ ହୋଇଛି। ତନ୍ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଜାତୀୟ କୋଚ୍‌ ନିଯୁକ୍ତି ଅନ୍ୟତମ। ହେଲେ ଏଥିପାଇଁ ମୁଁ ଅନୁତପ୍ତ ନୁହେଁ ବୋଲି ଇଦୁଲ୍‌ଜୀ କହିଛନ୍ତି।

Share