Categories: ଖେଳ

ବିନୋଦ କାମ୍ବଲୀଙ୍କୁ ଚ୍ୟାଲେଞ୍ଜ ଦେଲେ ସଚିନ ତେନ୍ଦୁଲକର: ୨୮ ଜାନୁୟାରୀ ମଧ୍ୟରେ ପୂରଣ କର ଏହି କାମ

ମୁମ୍ବାଇ, ୨୨।୧: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନିଜ ବନ୍ଧୁ ତଥା ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲୀଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଏହାକୁ ପୂରଣ ପାଇଁ ତାଙ୍କୁ ମାତ୍ର ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ସଚିନ। ଉକ୍ତ ଚ୍ୟାଲେଞ୍ଜଟି ହେଉଛି ୨୦୧୭ରେ ଗାୟକ ସୋନୁ ନିଗମଙ୍କ ସହ ସଚିନ ‘କ୍ରିକେଟ ବାଲି ବାତ୍‌’ ନାମକ ଗୀତ ଗାଇଥିଲେ। ଯାହା ସୁପରହିଟ୍‌ ହୋଇଥିଲା। ଏହି ଗୀତଟିକୁ ସେ ସାଥୀ ଖେଳାଳିଙ୍କୁ ସମର୍ପିତ କରିଥିଲେ। ସଚିନ ଏହି ଗୀତଟିକୁ ଏକ ସପ୍ତାହ ମଧ୍ୟରେ ର଼୍ୟାପ୍‌ କରିବା ପାଇଁ କାମ୍ବଲୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଉକ୍ତ ଗୀତରେ ଭାରତ ପକ୍ଷରୁ ଖେଳିଥିବା ପ୍ରସିଦ୍ଧ ଖେଳାଳିଙ୍କ ନାମ ନେଇଥିଲେ ସଚିନ। ଖେଳାଳିଙ୍କ ନାଁ ମନେରଖି ଗୀତଟିକୁ ର଼୍ୟାପ୍‌ କରିବା ପାଇଁ ସେ କାମ୍ବଲୀଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ସଚିନ ଏବଂ କାମ୍ବଲୀ ଭଲ ବନ୍ଧୁ। ଉଭୟ ସାଙ୍ଗ ହୋଇ କ୍ରିକେଟ ଜୀବନ ଆରମ୍ଭ କରିଥିଲେ। ନିକଟରେ କାମ୍ବଲୀଙ୍କ ଜନ୍ମଦିନରେ ସଚିନ ଏକ ଭିଡିଓ ଶେୟାର କରି ତାଙ୍କୁ ଜଣେ ଭଲ ଗାୟକ ଏବଂ ଡ୍ୟାନ୍ସର ଆଖ୍ୟା ଦେଇଥିଲେ।

Share