ଭୁବନେଶ୍ୱର, ୧୩।୧୧ (ବ୍ୟୁରୋ): ମହାମାରୀ କରୋନାକୁ ଲକ୍ଷ୍ୟକରି ଭୁବନେଶ୍ୱର ବିନ୍ଦୁସାଗରରେ ଏବର୍ଷ ପୟା ଶ୍ରାଦ୍ଧ ତଥା ପିଣ୍ଡଦାନକୁ ବନ୍ଦ ରଖାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇ ପାରିବ ନାହିଁ। ଲୋକ ଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏହି କଟକଣା ଜାରି କରିଛି। ମହାମାରୀ କରୋନାର କବଳରେ ରାଜଧାନୀ ଭୁବନେଶ୍ୱର ପଡ଼ିଥିଲା। ପ୍ରତିଦିନ ଶହ ଶହ ଲୋକେ ଆକ୍ରାନ୍ତ ହେଉଥିଲେ। ମାତ୍ର ବିଏମ୍ସି ଓ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ କରୋନା ଆୟତ୍ତକୁ ଆସିପାରିଛି। ଏବେ ପ୍ରତିଦିନ ୪୦ରୁ ୫୦ ଜଣ ଲେଖାଏ ଆକ୍ରାନ୍ତ ହେଉଛନ୍ତି। ତେବେ ସତର୍କ ନ ରହିଲେ କରୋନା ବ୍ୟାପିବାର ବହୁ ସମ୍ଭାବନା ରହିଛି। ସେଥିପାଇଁ ଜନ ଗହଳିକୁ ଏଡ଼ାଇବା ପାଇଁ ବିନ୍ଦୁ ସାଗରରେ ହେବାକୁ ଥିବା ଶ୍ରାଦ୍ଧ ବନ୍ଦ କରିଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।