ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ:୧୦ ଜଣଙ୍କୁ ଏକାମ୍ର ସାଂସ୍କୃତିକ ସମ୍ମାନ

ପୁରୁଣା ଭୁବନେଶ୍ୱର, ୧୩।୧୧(ଡି.ଏନ.ଏ.):ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରି ରଖିବା ପାଇଁ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ଥିଲା। ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱ ବିକାଶ ଶ୍ରୀମନ୍ଦିର ଭଳି ହେବ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୯ ଜଣ ବ୍ୟକ୍ତି ଓ ଏକ ସାମାଜିକ ସଂସ୍ଥାକୁ ‘ଏକାମ୍ର ସାଂସ୍କୃତିକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ବ୍ୟକ୍ତିତ୍ୱମାନେ ହେଲେ ପିଆଇବିର ପୂର୍ବତନ ମହାନିର୍ଦ୍ଦେଶକ ଉମାକାନ୍ତ ମିଶ୍ର, ଚଳିତବର୍ଷର ଓଏଏସ୍‌ ଟପର ଆୟୁଷି ମହାପାତ୍ର, କ୍ରିକେଟିୟର ତଥା ୧୯ ବର୍ଷରୁ କମ୍‌ କ୍ରିକେଟ ଚୟନ ସମିତିର ଅଧ୍ୟକ୍ଷ ଦୀପକ ମଙ୍ଗରାଜ, ବିଶିଷ୍ଟ ଲେଖକ ହେମନ୍ତ ମିଶ୍ର, ଉତ୍କଳ କାର୍ଟୁନ ୱାଲର୍ଡର କାର୍ଟୁନ ଶୋ’ ଧାରାବାହିକରେ ନଟିଆ ଚରିତ୍ରର ନାୟକ ସ୍ମୃତିରଞ୍ଜନ ମହାନ୍ତି, ଚିକିତ୍ସା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶାଳିନୀ କୋଠକୋଣ୍ଡା, ସାମାଜିକ କର୍ମୀ ଗୀତାଞ୍ଜଳି ପୂଜାପଣ୍ଡା, ରମେଶ ଚନ୍ଦ୍ର ସାହୁ ଓ ନମିତା ସାହୁ। ଏହାପରେ ପରମ୍ପରା ଅନୁସାରେ କୁନିକୁନି ପିଲାମାନଙ୍କୁ ସାଧବାଣୀସାଧବ ବେଶରେ ସଜ୍ଜିତ କରି ବୋଇତ ବନ୍ଦାଣ କରାଯାଇଥିଲା। ସମାରୋହରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ଅମର ପଟ୍ଟନାୟକ, ଓଡ଼ିଶା ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ କୁମାର ପାଟଶାଣୀ, ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ। ପରିଷଦ ସମ୍ପାଦକ ଦୀପକ ମହାପାତ୍ର, ଉପସଭାପତି ସମରେନ୍ଦ୍ର ସାହୁ, ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଭୋର୍‌ ୪ଟାରୁ କଣ୍ଠଶିଳ୍ପୀ ସଚିନ ରଥ, ଗଗନ ବିହାରୀ ଜେନା, ସୁଜାତା ରଥ ଓ ଅନ୍ୟମାନେ ଭଜନ ପରିବେଷଣ କରି ଶ୍ରଦ୍ଧାଳୁଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିଥିଲେ।

Share