Categories: ବାଣିଜ୍ୟ

ବିନୟ ଦୁବେଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି

ନୂଆଦିଲ୍ଲୀ,୨-୬: ଜେଟ୍‌ ଏୟାରଓ୍ବେଜ୍‌ର ପୂର୍ବତନ ସିଇଓ ବିନୟ ଦୁବେଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି। ଅର୍ଥାତ ସେ ବିନାନୁମତିରେ ଆଉ ବିଦେଶ ଯାଇପାରିବେ ନାହିଁ। କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ବୋଲି ସୂଚନା ମିଳିଛି। ଜେଟ୍‌ର ଆର୍ଥିକ ଅନିୟମିତତା ମାମଲାରେ ଦୁବେଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି। ଦୁବେ ବ୍ୟକ୍ତିଗତ କାରଣ ଦର୍ଶାଇ ମେ ୧୪ରେ ଜେଟ୍‌ ଏୟାରଓ୍ବେଜର ସିଇଓ ପଦରୁ ଇସ୍ତଫା ଦେଇଥିଲେ। ଏୟାରଲାଇନ୍ସର ରିଜଲ୍ୟୁଶନ ଅନୁଯାୟୀ ପ୍ରମୋଟର ନରେଶ ଗୋୟଲ ଏବଂ ତାଙ୍କ ସ୍ତ୍ରୀ ଅନୀତା ଗୋୟଲ ମାର୍ଚ୍ଚ ୨୫ରେ ବୋର୍ଡ ଅଫ୍‌ ଡାଇରେକ୍ଟର୍ସରୁ ଇସ୍ତଫା ଦେଇଥିଲେ। ଏଥିସହ ନରେଶ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଜରୁରୀକାଳୀନ ପାଣ୍ଠି ନ ମିଳିବା କାରଣରୁ ଜେଟ୍‌ ଏବେ ସାମୟିକ ବନ୍ଦ ହୋଇଯାଇଛି। ଅପରପକ୍ଷରେ ଗତ ଶନିବାର ଗୋୟଲ ଦମ୍ପତି ମୁମ୍ବାଇରୁ ଦୁବାଇ ବାଟେ ଲଣ୍ଡନ ପଳାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସେମାନଙ୍କ ବିରୋଧରେ ସିରିୟସ୍‌ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ) ପକ୍ଷରୁ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଥିଲା। ଇତିମଧ୍ୟରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨୦ ଜଣଙ୍କ ବିରୋଧରେ ଉକ୍ତ ନୋଟିସ ଜାରି କରାଯାଇଛି।

Share