ବିପଦକୁ ଡାକୁଛି ଜାଇକାର ବେପରୁଆ କାମ: ଜିଲାପାଳଙ୍କୁ ଜଣାଇବ ଭାଜପା

କଟକ ଅଫିସ,୧ା୬: ଡ୍ରେନ୍‌ରୁ ପଙ୍କୋଦ୍ଧାର ବେଳେ ଛତ୍ରବଜାର ନିକଟସ୍ଥ ଜଣଙ୍କ ଘରଆଗ କାନ୍ଥ ଧସିଯିବା ପରେ ରବିବାର ଭାଜପାର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଦୀର୍ଘଦିନ ଧରି ଜାଇକାର ଯନ୍ତ୍ରଣାରେ ସହରବାସୀ ଅତିଷ୍ଠ। ଏହାର ମନମୁଖୀ ଓ ବେପରୁଆ କାମ ସହରରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଜାଇକାକୁ ତୀବ୍ର ସମାଲୋଚନା କରିଛି ଭାଜପା।
ଦଳ କହିଛି, ୨୦୧୫ରୁ ସରିବାକୁ ଥିବା ଜାଇକା ପ୍ରକଳ୍ପ ଦୀର୍ଘ ୫ ବର୍ଷ ବିତିଲା ପରେ ମଧ୍ୟ ସରୁନାହିଁ। ୯୭୪ କୋଟିର ବ୍ୟୟବରାଦ ବୃଦ୍ଧି ପାଇ ୨୯୦୦ କୋଟିରେ ପହଞ୍ଚତ୍ଲାଣି। ବିଗତ ଦିନରେ ଜାଇକାର ବେପରୁଆ କାର୍ଯ୍ୟରେ ସହରବାସୀଙ୍କ ଧନଜୀବନ ହାନି ହୋଇଥିବାର ଅନେକ ନଜିର ରହିଛି। କୋର୍ଟର ସମସ୍ତ ଆଦେଶକୁ ଏହା ଉଲ୍ଲଂଘନ କରୁଛି। ଜାଇକାର ଏଭଳି ବେପରୁଆ କାର୍ଯ୍ୟକୁ ନିନ୍ଦା କରିଛି କଟକ ନଗର ଭାଜପା। ଶନିବାର ଜାଇକାର କାର୍ଯ୍ୟରେ କଟକ ପ୍ରଫେସରପଡ଼ା ଅଞ୍ଚଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଫିସରଙ୍କ ଅନୁପସ୍ଥିତିରେ ପଙ୍କୋଦ୍ଧାର ସମୟରେ ଡ୍ରେନ ପାର୍ଶ୍ୱରେ ରହୁଥିବା ବିଜୟ ବିଶ୍ୱାଳ ଓ ବିଭୂତି ମିଶ୍ରଙ୍କ ଗୃହର ଦୁଇ ବଖରା ଭୁଶୁଡ଼ିଯିବା ସହ ଅନେକ ଘରକୁ ସଂଲଗ୍ନ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ରାଜ୍ୟ ଭାଜପା ନେତା ବିନୋଦ ଦାସ ଓ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରବିବାର ସେହି ସ୍ଥାନରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଜାଇକାର ମନୋମୁଖୀ କାର୍ଯ୍ୟ ସମ୍ପର୍କରେ ସରକାରଙ୍କୁ ଜଣାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଭାଜପା ନଗର ସଭାପତି କହିଛନ୍ତି। କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ଓ ଜାଇକା କାର୍ଯ୍ୟରେ ଶିଥିଳତା ନେଇ କଟକ ଜିଲାପାଳଙ୍କୁ ଦାବି ଜଣାଇବ ନଗର ଭାଜପା।

Share