ବିପଦପୂର୍ଣ୍ଣ ଅବସ୍ଥାରେ ଘାଟି ରାସ୍ତା

କେନ୍ଦୁଝର,୨୬ା୨(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଘଟଗାଁ ବ୍ଲକ ନୁଦୁରପଡାଠାରୁ ଖରବା ଦେଇ ତେଲକୋଇ ବ୍ଲକର କାଳିଆହୋତା ପର୍ଯ୍ୟନ୍ତ ବଣଜଙ୍ଗଲ ଓ ପର୍ବତମାଳା ଦେଇ ଦୀର୍ଘ ପ୍ରାୟ ୫୦ କି.ମି. ରାସ୍ତାର ଉନ୍ନତୀକରଣ କରାଗଲେ ଦୁର୍ଗମ ଆଦିବାସୀବହୁଳ ବହୁ ଗ୍ରାମର ବିକାଶ ହେବା ସହ କେନ୍ଦୁଝର ଜିଲାରୁ ଢେଙ୍କାନାଳ ଜିଲାର କାମାକ୍ଷନଗର ଦେଇ ଅନ୍ୟାନ୍ୟ ଜିଲାକୁ ଯାତାୟାତ ସୁଗମ ହୋଇଯିବ। ଏହି ରାସ୍ତାକୁ ଜାତୀୟ ରାଜପଥର ମାନ୍ୟତା ଦେବା ପାଇଁ ପରିକଳ୍ପନା କରାଯାଇ ବିଭିନ୍ନ ସ୍ଥାନରେ ଉନ୍ନତିମୂଳକ କାମ ଚାଲିଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ କାମର ମାନ ଠିକ୍‌ ହେଉନାହିଁ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସୁଧୁରୁ ନାହିଁ। ଫଳରେ ଯାତାୟାତ ନିରାପଦ ହେଉନାହିଁ। ଏହି ରାସ୍ତାକୁ ଭାଗ ଭାଗ କରାଯାଇ ବିଭିନ୍ନ ସ୍ଥାନରେ କାମ ଚାଲୁଛି। ଅନେକ ସ୍ଥାନରେ ନିମ୍ନମାନର କାମ ଯୋଗୁ ରାସ୍ତା ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ରାସ୍ତାକଡ ଗୁଡିକ ଠିକ୍‌ ଭାବେ କାମ ହୋଇ ନ ଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ବର୍ଷ ବର୍ଷ ଧରି ରାସ୍ତା, କଲଭର୍ଟ, ପୋଲ ଆଦି କାମ ଅସମ୍ପୂର୍ଣ୍ଣ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଓ ସତର୍କତା ସୂଚନା ଦିଆଯାଇ ନ ଥିବାରୁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ମତବ୍ୟକ୍ତ କରୁଛନ୍ତି। ଶୋଚନୀୟ ରାସ୍ତା ଯୋଗୁ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଗାଡି ଯାତାୟାତ କରିପାରୁନାହିଁ। ଫଳରେ ବନବାସୀ ମାନେ ଜିଲା ମୁଖ୍ୟାଳୟ ତଥା ସହରାଞ୍ଚଳକୁ ଯାଇ ସେମାନଙ୍କ ସଂଗୃହୀତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା କରିପାରୁ ନ ଥିବା କହିଛନ୍ତି। ସେହିପରି ପାହାଡ କଟା ଯାଇ ଘାଟି ରାସ୍ତା ନିର୍ମାଣ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ କାମ ଠିକ୍‌ ଭାବରେ ହେଉ ନ ଥିବା ଅଭିଯୋଗ ହେଉଛି । ଏଣୁ ଘାଟି ରାସ୍ତାଟି ଅସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାପଡିଛି । ଏଣୁ ଲୋକେ ଯାତାୟାତ କରିବାକୁ ଭୟ କରୁଛନ୍ତି । ସୁଉଚ୍ଚ ପାହାଡରୁ ଅଙ୍କାବଙ୍କା ରାସ୍ତାରେ ତଳକୁ ଯିବାକୁ ପଡିଥାଏ। ତେବେ ଅନେକ ସ୍ଥାନର ରାସ୍ତାକଡରେ କୌଣସି ସୁରକ୍ଷାବାଡ ବା ବୁଲାଇବା ସ୍ଥାନରେ ପ୍ରଶସ୍ତ ସ୍ଥାନ ନ ଥିବାରୁ ବିପଦ ଆଶଙ୍କା ରହିଛି। ବର୍ଷା ଯୋଗୁ ପାଣି ଗଡି ରାସ୍ତା ଧୋଇଯାଇଥିବାରୁ ପଥର ଓ ଖାଲଖମା ଭରିଯାଇଥିବାରୁ ଘାଟି ରାସ୍ତା ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି ରାସ୍ତା କଡରେ ବହୁ ଜୁଆଙ୍ଗ, ଭୂୟାଁ, ମୁଣ୍ଡା ଆଦି ଗ୍ରାମ ରହିଥିବାରୁ ସେମାନଙ୍କ ସରଳତାର ସୁଯୋଗ ନେଇ ଠିକାଦାର, କାଠ ମାଫିଆ ଓ ଶିକାରୀମାନେ ନିଜର ପତିଆରା ମେଲାଇ ନିମ୍ନମାନର କାମ କରୁଥିବା, ଜଙ୍ଗଲ କାଟି ଚୋରା ଚାଲାଣ ଓ ପଶୁ ଶିକାର କରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ମତବ୍ୟକ୍ତ କରୁଛନ୍ତି । ଏଣୁ ଏହି ରାସ୍ତା ତୁରନ୍ତ ନିର୍ମାଣ କରି ପିଚୁ/ କଙ୍କ୍ରିଟ କରାଗଲେ ଯାତାୟାତ ଉପଯୋଗୀ ହୋଇପାରିବ।

Share